Site icon ଆଜିକାଲି

‘ସୁଭଦ୍ରା’ ନିୟମରେ ସଂଶୋଧନ : ରାସନ୍ କାର୍ଡଧାରୀ ନଚେତ୍ ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିଲେ ମିଳିବ ସହାୟତା

ଭୁବନେଶ୍ୱର : ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ସଂଶୋଧିତ ଗାଇଡଲାଇନ୍ ଆଜି ଜାରି ହୋଇଛି । ରାସନକାର୍ଡଧାରୀ ପରିବାର ସଦସ୍ୟ(ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ) କିମ୍ବା ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିବା ଜଣେ ୨୧ରୁ ୬୦ବର୍ଷ ବୟସର ମହିଳା ‘ସୁଭଦ୍ରା’ଯୋଜନା ପାଇଁ ଆବେଦନ କରିପାରିବେ । ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଏହି ‘ଆୟସୀମା’କୁ ସାମିଲ କରାଯାଇଛି ଓ ବାକି ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି ।

ଆଜି ଜିଲ୍ଲାପାଳମାନଙ୍କୁ ଜାରି ହୋଇଥିବା ଏହି ଗାଇଡଲାଇନ୍ ଅନୁସାରେ, ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି । ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇପାରିବେ ସେଥିପାଇଁ ଗାଇଡଲାଇନ୍ ଜାରି ହୋଇଛି । ହିତାଧିକାରୀଙ୍କ ବୟସ ୨୧ରୁ ଅଧିକ ଓ ୬୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ଯୋଗ୍ୟ ମହିଳାଙ୍କ ପାଇଁ କେବଳ ନିଜ ନାମରେ ଆଧାର କାର୍ଡ, ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ । କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟକୁ ହିଁ ସିଧାସଳଖ ସହାୟତା ଟଙ୍କା ପ୍ରଦାନ କରାଯିବ । ସମସ୍ତ ହିତାଧିକାରୀଙ୍କୁ ‘ସୁଭ୍ରଦା’ କାର୍ଡ ଦିଆଯିବ ଓ ସମସ୍ତ ଯୋଗ୍ୟ  ହିତାଧିକାରୀ ୫ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦ହଜାର ଟଙ୍କା ହାରରେ ମୋଟ ୫୦ହଜାର ଟଙ୍କା ପାଇବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ଏହି ଯୋଜନାରେ ପରିବାରର ସବୁ ଯୋଗ୍ୟ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ । ଏପରିକି ଗୋଟିଏ ପରିବାରରେ ଯଦି ୩/୪ଜଣ କିମ୍ବା ଯେତେଜଣ ମହିଳା ଥିବେ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ସେ କହିଥିଲେ । ତେବେ ରାସନାକାର୍ଡଧାରୀ ପରିବାର ଓ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଆୟ ପରିବାରକୁ ଏହି ସୁଭଦ୍ରା ଯୋଜନାର ଲାଭ ମିଳିବ ବୋଲି ଆଜି ସଂଶୋଧିତ ଗାଇଡଲାଇନ୍ ଜାରି ହେବାପରେ ବହୁ ନିମ୍ନ ମଧ୍ୟବିତ୍ତ ପରିବାର ଏଥିରୁ ବାଦ୍ ପଡ଼ିବାର ଆଶଙ୍କା ଦେଖାଦେଇଛି ।

Exit mobile version