Site icon ଆଜିକାଲି

କନ୍ଧମାଳରେ ଜଙ୍ଗଲ ଅନୁଧ୍ୟାନ କଲେ ଆମେରିକାର ପରିବେଶ ବିଜ୍ଞାନୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ପହଞ୍ଚିଛନ୍ତି ଆମେରିକାର ଏକ ପରିବେଶ ବିଜ୍ଞାନୀ ଦଳ। ସମ୍ପ୍ରତି ସମଗ୍ର ବିଶ୍ବର ମାନବ ସମାଜ ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଥିବା ଜାଗତିକ ଉତ୍ତପ୍ତୀକରଣ (ଗ୍ଲୋବାଲ ଓ୍ବାର୍ମିଂ)ର ମୁକାବିଲା ନେଇ ପରିବେଶ ବିଜ୍ଞାନୀଙ୍କ ଏହି ଦଳ ବିଭିନ୍ନ ଦେଶରେ ଯେଉଁଠି ଘଞ୍ଚ ଅରଣ୍ୟ ରହିଛି ସେଠାରେ ଅନୁଧ୍ୟାନ କରୁଛନ୍ତି। ବିଶ୍ବ ଉତ୍ତପ୍ତୀକରଣର ପ୍ରତିକାର ଦିଗରେ ବନ୍ୟ ସମ୍ପଦ କେତେଦୂର ସହାୟକ ହେଉଛି, ଜଙ୍ଗଲ ଓ ପରିବେଶ ସୁରକ୍ଷା ନେଇ କେଉଁ ସ୍ଥାନରେ କିଭଳି ଉପାୟ ଅବଲମ୍ବନ କରାଯାଉଛି ସେ ବାବଦରେ ଏହି ଟିମ୍ ଅନୁଧ୍ୟାନ ଜାରି ରଖିଛନ୍ତି।

ଏହି ଦଳ‌ ମହାକାଶ ଗବେଷଣା ସଂସ୍ଥା ‘ନାସା’ ସହ କାର୍ଯ୍ୟ କରୁଛନ୍ତି। ମହାକାଶ ଗବେଷଣା ସହ ପୃଥିବୀର ଗ୍ଲୋବାଲ୍ ଓ୍ବାର୍ମିଂର ସମ୍ପର୍କ ଓ ଏଥିଜନିତ ପ୍ରଭାବ ବାବଦରେ ଗବେଷଣା କରି ତଥ୍ୟ ସଂଗ୍ରହ କରୁଅଛି। ସ୍ଥାନୀୟ ବନ ବିଭାଗ ଅଧିକାରୀମାନଙ୍କ ସହିତ ନାସା ସହ ଜଡ଼ିତ ଭାରତୀୟ ମୂଳର ପରିବେଶ ବିଜ୍ଞାନୀ ଅନୁଜ ପରିହାର, ନାଗରାଜ ବେଲ୍ଲାପୁ ଓ ଶୁଭଙ୍କର ଘୋଷ ଏହି ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଲର ପ୍ରଭାବ ରୋକିବାରେ ଜଙ୍ଗଲ କେତେଦୂର ସହାୟକ ହେଉଛି, ଏ ଦିଗରେ ବନ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଯୋଜନା ଏ ଦିଗରେ କେତେ ଫଳପ୍ରଦ ହେଉଛି ସେ ନେଇ ଅନୁଧ୍ୟାନ କରିଥିଲେ ପରିବେଶ ବିଜ୍ଞାନୀ। କନ୍ଧମାଳ ଭଳି ବନ ସମ୍ପଦରେ ଭରପୁର ଜିଲ୍ଲାରେ ଜଙ୍ଗଲ ସୁରକ୍ଷା ପାଇଁ ଆଗକୁ କଣ କରାଯାଇ ପାରିବ ସେ ନେଇ ମଧ୍ୟ ଏହି ପରିବେଶ ବିଜ୍ଞାନୀମାନେ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

Exit mobile version