Site icon ଆଜିକାଲି

ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ ସାମିଲ

ଭୁବନେଶ୍ବର : ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିସହ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ ଲକ୍ଷ ୬୧ ହଜାରରୁ ୩୨ଲକ୍ଷ ୭୫ ହଜାରକୁ ବୃଦ୍ଧି ପାଇଛି। ଅଗଷ୍ଟ ୧୫ ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ।

ଗ୍ରାମପଞ୍ଚାୟତ ହେଡକ୍ୱାର୍ଟର ଓ ଓ୍ବାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ଦିଆଯିବ। କ୍ୟାମ୍ପ କରି ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ସିଏମଓଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ‘ମୋ ସରକାର’ରୁ ମିଳିଥିବା ଫିଡବ୍ୟାକ ଆଧାରରେ ଅଧିକ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାମର ସମୀକ୍ଷା କରିବା ସହ ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ଏହାଦ୍ବାରା ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ହୋଇପାରୁଛି।

ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି । ୭୯ ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ ଶହ ଟଙ୍କା ଦିଆଯାଉଛି। ସେହିପରି ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ ଶହ, ୬୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି । ୪ ଲକ୍ଷ ୧୩ ହଜାର ଅତିରିକ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଦ୍ବାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ଆଶା କରାଯାଉଛି।

Exit mobile version