Site icon ଆଜିକାଲି

୨୦ ତାରିଖ ବେଳକୁ ପୁଣି ଏକ ଲଘୁଚାପ, ଘନୀଭୂତ ହେବା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୨୦ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ ଆକଳନ କରିଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ପରିଣତ ହେବାର ସମ୍ଭାବନା ରହିଛି ।

ଲଘୁଚାପ ଅଧିକ ଘନୀଭୂତ ହୋଇପାରେ । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ଆକଳନ ହୋଇ ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଣେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କଟକ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, ‌କେନ୍ଦୁଝର, କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲ‌ାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।

Exit mobile version