Site icon ଆଜିକାଲି

୧୩ରୁ ଆଉ ଏକ ଲଘୁଚାପ, ଘୂର୍ଣ୍ଣିବଳୟ ପ୍ରଭାବରେ ଆଗକୁ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ସାମାନ୍ୟ କମିଲା ବର୍ଷା । ପାଗ ସାମାନ୍ୟ ଅନୁକୂଳ ହୋଇଥିବା ବେଳେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୧୨ ତାରିଖରୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୩ରେ ଏହା ଲଘୁଚାପରେ ପରିଣତ ହେବ । ୧୩ରୁ ୧୫ ଯାଏଁ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପ୍ଟେମ୍ବର ୧୧ ତାରିଖ ଯାଏ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ପରେ ବର୍ଷା ବଢ଼ିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ୧୬ରୁ ବର୍ଷା ପରିମାଣ କମିବ । ପଶ୍ଚିମ ଓଡ଼ିଶାର ଗୋଟିଏ ବା ୨ଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି କହିଛି, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୧୨ରୁ ୧୫ ଯାଏ ବର୍ଷା ବଢ଼ିବ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଶନିବାର ରାଜ୍ୟର କାଁ ଭାଁ ସ୍ଥାନରେ ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ୧୧.୨, ଜଗତସିଂହପୁରରେ ୨.୪ ଓ ଭଦ୍ରକରେ ୨.୪ମିମି ବର୍ଷା ହୋଇଛି । ଲଘୁଚାପ ବର୍ଷା ସତ୍ତ୍ବେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି ।

ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୯ ତାରିଖ ଭିତରେ ରାଜ୍ୟରେ ମୋଟ ୮୮୮ମିମି ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ବର୍ଷାର ପରିମାଣ ୧୦୦୧ମିମି ଥିଲା । ତେବେ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାରେ ସ୍ଥିତି ନିଅଣ୍ଟିଆ ରହିଛି ।

Exit mobile version