ଲମତାପୁଟ : ମାଛକୁଣ୍ଡ ପୋଲିସକୁ ପୁଣି ବଡ଼ ସଫଳତା । ଗଚ୍ଛିତ ରଖାଯାଇଥିବା ୧୧୩ କେଜିର ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ।
ସୂଚନା ଯେ, ମାହାଡ଼ା ଗାଁର ସମରା ବଡ଼ନାୟକଙ୍କ ଘରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଚାବି ଭଙ୍ଗାଯାଇଥିଲା । ଘରେ ଗଞ୍ଜେଇ ଥିବାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲା ପୋଲିସ । ଯାଞ୍ଚ ବେଳେ ୫ଟି ବସ୍ତା ଗଞ୍ଜେଇ ପାଇଥିଲା ପୋଲିସ । ଘଟଣାସ୍ଥଳରୁ ସମରା ବଡ଼ନାୟକ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇକୁ ଜବତ କରିଛି ମାଛକୁଣ୍ଡ ପୋଲିସ । ତେବେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହା ସହିତ ଘର ମାଲିକ ସମରାଙ୍କ ନାଁରେ ଏନଡ଼ିପିଏସ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏବେବି ଉଦ୍ୟମ ଜାରି ରଖିଛି ମାଛକୁଣ୍ଡ ପୋଲିସ ।