Site icon ଆଜିକାଲି

କାଲିଠୁ ଆଉ ଏକ ପଶ୍ଚିମାଝଡର ପୂର୍ବାନୁମାନ, ରାଜ୍ୟରେ ଲାଗିରହିବ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ବର : ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୧୫ ତାରିଖରୁ ବିଜୁଳି ଘଡଘଡ଼ି, ବର୍ଷା ପବନ ସହ କୁଆପଥର ମାଡ ଜାରି ରହିଛି । ଗୋଟିଏ ପଶ୍ଚିମାଝଡ଼ ନ ଯାଉଣୁ ଆସନ୍ତାକାଲି ଠାରୁ ଆଉ ଏକ ପଶ୍ଚିମାଝଡ଼ର ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଲାଗିରହିବ କାଳବୈଶାଖୀର ତାଣ୍ଡବ । ୨୫ ଯାଏଁ ସାରା ରାଜ୍ୟରେ ବର୍ଷା ଜାରି ରହିବ । ମଧ୍ୟାହ୍ନରେ ତାପମାତ୍ରା ବଢିଲେ ବି ଅପରାହ୍ନରେ ହେବ ବର୍ଷା । ସେହିପରି ଆଜିଠାରୁ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ।

ରାଜ୍ୟରେ ଆସନ୍ତା ୨୫ ଯାଏଁ ବର୍ଷା ଜାରି ରହିବ । ମଧ୍ୟାହ୍ନରେ ତାପମାତ୍ରା ବଢିଲେ ବି ଅପରାହ୍ନ କାଳବୈଶାଖିର ତାଣ୍ଡବ ଲାଗିରହିବ । ଅଧିକ ବର୍ଷା ସମ୍ଭାବନା ନଥିଲେ ବି ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି । ପ୍ରଚଣ୍ଡ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ନେଇ ୧୨ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉକ୍ତ ଜିଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, କଟକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ସମ୍ବଲପୁର ଏବଂ ଦେବଗଡ । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ହାଲୁକାରୁ ମଧ୍ୟମଧରଣର ବର୍ଷା ପାଇଁ ୧୩ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

Exit mobile version