ଭୁବନେଶ୍ୱର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୭ ନଭେମ୍ବର ୧୪ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଚଳିତ ବର୍ଷ ଏହାର ୫ବର୍ଷ ପୂର୍ତି ଉତ୍ସବ ପାଳନ କରିବ । ଏହି ଅବସରରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ‘ମୋ ସ୍କୁଲ୍?ଅଭିଯାନ’ର ୩୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତି ନିଆଯାଇଛି । ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଚଳିତବର୍ଷ ଠାରୁ ସର୍ଭିସ୍ ଭଲ୍ୟୁଂଟିୟରିଂକୁ ସର୍ବାଧିକ ପ୍ରୋତ୍ସାହନ ଦେବାକୁ ନିଷ୍ପତି ନିଆଯାଇଛି । ‘ମୋ ସ୍କୁଲ୍’ ତତ୍ୱାବଧାନରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଏବଂ ‘ମୋ ସ୍କୁଲ୍’ ଜିଲ୍ଲାସ୍ତରୀୟ କମିଟି ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସେହିଭଳି ୫ବର୍ଷ ପୂର୍ତି ଅବସରରେ ଚଳିତବର୍ଷ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ‘ମୋ ସ୍କୁଲ୍’ ଅଂଶଗ୍ରହଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବ । ‘ମିଟ୍ ଦ ପର୍ସନାଲିଟି’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନଙ୍କ ସହ ଭାବର ଆଦାନପ୍ରଦାନ କରିବାକୁ ସୁଯୋଗ ଦିଆଯିବ । ‘ମୋ ସ୍କୁଲ୍’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୯ଟି ଜିଲ୍ଲାର ମୋଟ ୭୬୯ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୨ ମାସ ମଧ୍ୟରେ ୨୦,୩୭୦ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ିହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୧୧ କୋଟି ୪୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୫ କୋଟି ୪୮ ଲକ୍ଷ, କଟକରେ ୬୭ ଲକ୍ଷ, ଭଦ୍ରକରେ ୩୯ ଲକ୍ଷ ୭୯ ହଜାର, ମୟୂରଭଞ୍ଜରେ ୩୩ ଲକ୍ଷ ୩୦ ହଜାର ଏବଂ କେନ୍ଦ୍ରାପଡ଼ାରେ ୨୪ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୫ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ସ୍କୁଲ୍ଗୁଡ଼ିକୁ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି ।
ହାଇସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ଉପଲବ୍ଧ ଭିତିଭୂମିର ଉପଯୁକ୍ତ ବ୍ୟବହାର ନିମନ୍ତେ ୯୦ ଦିନିଆ ‘ଇନ୍ଫ୍ରାଷ୍ଟ୍ରକମର ଷ୍ଟାବିଲାଇଜେଶନ ପ୍ରୋଗ୍ରାମ’ ଆରମ୍ଭ ହୋଇଛି । ବିଦ୍ୟାଳୟଗୁଡ଼ିକରେ ସୃଷ୍ଟି କରାଯାଇଥିବା ଅତ୍ୟାଧୁନିକ ସୁବିଧାସୁଯୋଗ ଯେପରି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହୋଇପାରିବ ସେ ନେଇ ନଭେମ୍ବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ସ୍କୁଲ୍ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ୩ୟ ପର୍ଯ୍ୟାୟ ହାଇସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସ୍କୁଲ୍ଗୁଡ଼ିକରେ ବେସ୍ଲାଇନ୍ ସର୍ଭେ କରାଯିବା ସହ ପ୍ରଧାନଶିକ୍ଷକମାନଙ୍କ ସହ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟମରେ ‘ମୋ ସ୍କୁଲ୍’ ସଦସ୍ୟ ସଚିବ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଆର୍ôଥକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍ସିଇଆରଟି ଏବଂ ମୋ ସ୍କୁଲ୍ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ, ମୋ ସ୍କୁଲ୍ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ।