Site icon ଆଜିକାଲି

ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବଙ୍କ ପୁଣି ଏକ ମାଇଲଖୁଣ୍ଟ, ଚଳାଇଲେ ବନ୍ଦେ ଭାରତ ଏକ୍ସପ୍ରେସ


ନୂଆଦିଲ୍ଲୀ: ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ (ଟ୍ରେନ ଡ୍ରାଇଭର) ସୁରେଖା ଯାଦବ ଏବେ ଦେଶର ପ୍ରଥମ ମହିଳା ଭାବେ ସେମି ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଚଳାଇବାର ଗୌରବ ଅର୍ଜନ କରିଛନ୍ତି । ସେ ମହାରାଷ୍ଟ୍ରର ସୋଲାପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇଥିଲେ । ଏହି ସଫଳତା ପାଇଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସ୍ଏମଟି) ପ୍ଲାଟଫର୍ମ ନମ୍ବର ୮ରେ ସୁରେଖାଙ୍କୁ ତାଙ୍କ ସାଥୀ ଟ୍ରେନ୍ ପାଇଲଟମାନେ ଉଚ୍ଛ୍ବସିତ ସ୍ୱାଗତ ଜଣାଇଥିଲେ।

ନୂଆ ଯୁଗର ଅତ୍ୟାଧୁନିକ ଜ୍ଞାନକୌଶଳ ସହ ନିର୍ମିତ ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ସୁଯୋଗ ଦେଇଥିବାରୁ ସୁରେଖା ଯାଦବ କୃତଜ୍ଞତା ଜଣାଇଛନ୍ତି। ଟ୍ରେନ୍ ଠିକ୍ ସମୟରେ ସୋଲାପୁର ଛାଡ଼ିଥିଲା ଓ ଧାର୍ଯ୍ୟ ସମୟର ୫ ମିନିଟ୍ ପୂର୍ବରୁ ମୁମ୍ବାଇର ସିଏସ୍ଏମଟି ଷ୍ଟେସନରେ ପହଞ୍ଚିଥିଲା | ଟ୍ରେନ୍ ଚଲାଇବା ଏକ କଷ୍ଟକର କାମ । ଏଥିପାଇଁ ସିଗନାଲ୍ ପାଳନ କରିବା, ନୂତନ ଯନ୍ତ୍ରପାତିରେ ଅଭ୍ୟସ୍ତ ହେବା, ଅନ୍ୟ କ୍ରୁ ସଦସ୍ୟମାନଙ୍କ ସହିତ ସମନ୍ୱୟ ଆଦି ଟ୍ରେନ୍ ଡ୍ରାଇଭିଂ ପାଇଁ ମାନଦଣ୍ଡର ସଠିକ୍ ପାଳନ କରିବାକୁ ହୁଏ ।

ଜଣେ କେନ୍ଦ୍ରୀୟ ରେଳବାଇ ଅଧିକାରୀ କହିଛନ୍ତି, “ସୁରେଖା ଯାଦବ ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍। ସେ ସଫଳତାର ସହ ୧୩ ମାର୍ଚ୍ଚ ୨୦୨୩ରେ ସୋଲାପୁର-ସିଏସ୍ଏମଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଇଥିଲେ। ଏହା ସହିତ ସେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାରେ ପ୍ରଥମ ମହିଳା ଲୋକୋ ପାଇଲଟ୍ ହୋଇଛନ୍ତି। ତାଙ୍କର ଏହି ସଫଳତା କେନ୍ଦ୍ରୀୟ ରେଳବାଇ ଓ ଭାରତୀୟ ରେଳ ପାଇଁ ଏକ ଗର୍ବର ବିଷୟ |

ମହାରାଷ୍ଟ୍ରର ସତାରା ନିବାସୀ ସୁରେଖା ଯାଦବ ୧୯୮୮ରେ ଭାରତର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର ହୋଇଥିଲେ। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି।

କେନ୍ଦ୍ରୀୟ ରେଳବାଇରେ ଯୋଗଦେବା ପୂର୍ବରୁ ଯାଦବ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଚଳାଇବାରେ ତାଙ୍କର ପ୍ରଥମ ଅଭିଜ୍ଞତା ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ବନ୍ଦେ ଭାରତ ଏକ ସେମି ହାଇ ସ୍ପିଡ୍ ଟ୍ରେନ୍, ଯାହା ଉନ୍ନତ ଜ୍ଞାନକୌଶଳ ସହିତ ସଜ୍ଜିତ, ତେଣୁ ପାରମ୍ପରିକ ଟ୍ରେନ୍ ଅପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ | ” ସେ ଡ୍ରାଇଭର ଭାବେ ବନ୍ଦେ ଭାରତ ଟ୍ରେନ ଦାୟିତ୍ବରେ ନିୟୋଜିତ ହେବା ପୂର୍ବରୁ ଫେବୃଆରୀ ୨୦୨୩ରେ ଭଦୋଦରା ସ୍ଥିତ ରେଳ ଇନଷ୍ଟିଚ୍ୟୁଟ୍ ଠାରେ କିଛି ଦିନ ତାଲିମ ନେଇଥିଲେ ।

Exit mobile version