Site icon ଆଜିକାଲି

୩୦ରେ ପୁରୀ ଯିବ ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି, ଶ୍ରୀମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର କରିବେ ଅନୁଧ୍ୟାନ

ପୁରୀ : ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ ବିଧାନସଭା ଗୃହ କମିଟି । ଆସନ୍ତା ୩୦ ତାରିଖରେ ଗୃହ ଓ ଆଇନ ବିଭାଗର ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି ।

ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱାଧୀନ ୧୨ଜଣିଆ  ସଦସ୍ୟ ବିଶିଷ୍ଟ କମିଟି ଚଳିତମାସ ୩୦ତାରିଖରେ ପୁରୀ ଗସ୍ତରେ ଯାଇ ସାମୁଦ୍ରିକ ଥାନା ଓ ପୁରୀ ଜେଲ୍ ପରିଦର୍ଶନ କରିବା ସହ ଆଇନଶୃଙ୍ଖଳା ପ୍ରସଙ୍ଗରେ ଜିଲ୍ଲାପାଳ ,ଏସପି ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ପୁରୀ ସର୍କିଟ ହାଉସରେ ରାତି ବିତାଇବା ପରେ ୧ତାରିଖ ସକାଳ ୭ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ।  ସକାଳ ୧୦ଟାରେ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀମନ୍ଦିରରେ ଚାଲିଥିବା ମରାମତି କାର୍ଯ୍ୟର ବର୍ତ୍ତମାନର ସ୍ଥିତି ତଦାରଖ କରିବେ । ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଓ ଆଇନ ବିଭାଗର ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ । ରଥ ଯାତ୍ରାବେଳେ ଶ୍ରଦ୍ଧାଳୁ ରଥରେ ନଚଢ଼ିବାକୁ ନେଇ ଦଇତାପତିଙ୍କୁ ଦିଆଯାଉଥିବା କ୍ଷତିପୂରଣ , କୋଠ ଭୋଗ ଧନ ଯୋଜନା, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ଦରମା ଓ ଅନୁଦାନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପ୍ରଭାବିତଙ୍କୁ କ୍ଷତିପୂରଣ ଆଦି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀମାନଙ୍କ ସହ ଗୃହ କମିଟି ଆଲୋଚନା କରିବେ ।

Exit mobile version