Site icon ଆଜିକାଲି

ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଉତ୍ତରକାଶୀ ପଠାଗଲା ଅଗର ମେସିନ୍

ସମ୍ବଲପୁର(କେନ୍ୟୁଜ୍):  ଗତ ୧୩ ଦିନ ହେବ ପ୍ରତିଟି ମୁହୂର୍ତ୍ତରେ ଉତ୍ତରାଖଣ୍ଡର ଉତ୍ତରକାସି ଟନେଲରେ ଫଇସିଥିବା ଶ୍ରମିକଙ୍କୁ ନେଇ ଖବର ବାରମ୍ବାର ପ୍ରକାଶ ହେଉଛି । ତେବେ ଗତ ୪ ଦିନ ହେବ ପ୍ରତିଦିନ ଖବର ଆସୁଛି କି ଆଜି ହିଁ ଉଦ୍ଧାର ହେବେ ଶ୍ରମିକ, କିନ୍ତୁ ଅନେକ ପ୍ରତିବନ୍ଧକ କାରଣରୁ ସଫଳ ହୋଇପାରୁନାହାନ୍ତି ଉଦ୍ଦଶରକାରୀ ଦଳ । ତଥାପି ପ୍ରାଣ ପ୍ରଣେ ଚେଷ୍ଟା ଜାରି ରଖିଛନ୍ତି ।

କହିବାକୁ ଗଲେ ଆଉ ମାତ୍ର କିଛି ସମୟର ଅପେକ୍ଷା। ଜୀବନ ସହ ୧୩ ଦିନର ସଂଘର୍ଷ ପରେ ସୁଡ଼ଙ୍ଗରୁ ବାହାରକୁ ଆସିବେ ୪୧ ଶ୍ରମିକ। ନୂଆ ସକାଳ ଦେଖିବେ ଶ୍ରମିକ। ଉଦ୍ଧାର କାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଶ୍ରମିକଙ୍କ ପାଖରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍। ତେବେ ଡ୍ରିଲିଂ କାର୍ଯ୍ୟରେ ପ୍ରତିବନ୍ଧକ ଯୋଗୁଁ ଉଦ୍ଧାରକାର୍ଯ୍ୟ ବିଳମ୍ବ ହେଉଛି। ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଖନନ ଶେଷ ହୋଇଥିଲା। କିନ୍ତୁ ହଠାତ୍ ୪ଟି ବଡ଼ ଲୁହା ରଡ୍ ପଡ଼ିବା ଯୋଗୁ ଅଗର ମେସିନ୍ ବ୍ଲେଡ୍ ଭାଙ୍ଗିଯାଇଥିଲା । ଡ୍ରିଲିଂ ଶେଷ ହେବା ପରେ ବଡ଼ ପାଇପ୍ ଦେଇ ଶ୍ରମିକଙ୍କୁ ଷ୍ଟ୍ରେଚର ଯୋଗେ ବାହାରକୁ ଅଣାଯିବ। ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଉତ୍ତରକାଶୀ ରେସକ୍ୟୁ ଅପରେସନ୍।

ତେବେ ଅଗର ମେସିନ୍ ବ୍ଲେଡ୍ ଭାଙ୍ଗିଯିବା ପରେ ଡ୍ରିଲିଂ କାର୍ଯ୍ୟ ବନ୍ଦ ରହିଛି । ବ୍ଲେଡ୍ ସଜଡା କାମ ଚାଲିଛି । ଏପଟେ ଏହି ରେସକ୍ୟୁ ଅପରେସନ୍ ସମୟରେ ପ୍ରାୟ ୩ ଥର ଭାଙ୍ଗିଲାଣି ଏହି ଅଗର ମେସିନ୍। ତେବେ ଯାହା ସୂଚନା ମିଳିଛି କି, ସମ୍ବଲପୁରରୁ ପଠାଯାଇଛି ଏକ ଅଗର ମେସିନ୍। ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ସହାୟକ ହୋଇଥିବା ଅଗର ମେସିନ୍ ଓଡିଶାର ସମ୍ବଲପୁରରୁ ଯାଇଛି।

ସୁଡ଼ଙ୍ଗ କରୁଥିବା ଏହି ଅତ୍ୟାଧୁନିକ ମେସିନକୁ ଗ୍ରୀନ କରିଡ଼ ଦ୍ବାରା ଉତ୍ତରକାଶୀ ପଠାଯାଇଛି। ଏକ ମାଲବାହୀ ଟ୍ରେନ୍ ଓ ୬ଟି ଟ୍ରେଲରରେ ମେସିନକୁ ଖଣ୍ଡଖଣ୍ଡ କରି ପଠାଯାଇଛି। ସମ୍ବଲପୁରରୁ ରାୟପୁର, ଗ୍ବାଲିୟର ଦେଇ ଟନେଲ ନିକଟକୁ ଏହି ମେସିନ୍ ସ୍ଥାନାନ୍ତର ହୋଇଛି। ଏହି ମେସିନ୍ ପହଞ୍ଚିବା ପୂର୍ବରୁ ଗୁଜରାଟ ଭଲସାଦରୁ ଆସିଥିବା ଆମେରିକୀୟ ଅଗର ମେସିନ କାମ କରୁଥିଲା। ଏବେ ସମ୍ବଲପୁରରୁ ଉତ୍ତରକାଶୀ ଯାଇଥିବା ଅଗର ମେସିନ୍ ଆମେରିକୀୟ ଅଗର ମେସିନ ଠାରୁ ଅଧିକ ଶକ୍ତିଶାଳୀ। ୨୧ ତାରିଖ ଦିନ ସମ୍ବଲପୁରରୁ ରେଳ ଦ୍ବାରା ପଠାଯାଇଛି। ସମ୍ବଲପୁର ହୀରାକୁଦ ହିଣ୍ଡାଲକୋରେ ଏହି ମେସିନଟି ଥିବା ଜଣାପଡ଼ିବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା। ଗ୍ରୀନ କରିଡ଼ କରି ଏହାକୁ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Exit mobile version