Site icon ଆଜିକାଲି

ବାହାନଗା ରେଳ ଦୁର୍ଘଟଣା : ନିଲାମ ପରେ ସ୍କ୍ରାପିଂ ପ୍ରକ୍ରିୟା ଆରମ୍ଭ

ବାଲେଶ୍ବର : ବାହାନଗା ଷ୍ଟେସନରୁ ହଟିବ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ବଗି ଏବଂ ଇଞ୍ଜିନ୍ । ସ୍କ୍ରାପ୍ ହେବ ୨୩ଟି ବଗି ସହ ଇଞ୍ଜିନ୍ । ନିଲାମ ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ କୋଟି ୮୨ ଲକ୍ଷ ଟଙ୍କାରେ ଏହାକୁ ନିଲାମ ନେଇଛି ହାଓ୍ବଡ଼ାର ମୋହିତ ଷ୍ଟିଲ୍ସ । ନିଲାମ ନେଇଥିବା କମ୍ପାନୀର ଶତାଧିକ କର୍ମଚାରୀ ଘଟଣାସ୍ଥଳରେ ଶନିବାର କାମ ଆରମ୍ଭ କରିଛନ୍ତି । ଗ୍ୟାସ୍ କଟର ସାହାଯ୍ୟରେ ଭଙ୍ଗା ବଗିଗୁଡିକୁ କାଟୁଛନ୍ତି । ଭାଙ୍ଗିରୁଜି ଯାଇଥିବା କିଛି ବଗି ବିଲ କାଦୁଅରେ ପଡିଛି । ବାହାନଗା ଷ୍ଟେସନରୁ ଏଗୁଡ଼ିକୁ ହଟାଇବା ପାଇଁ ମାସେରୁ ଅଧିକ ସମୟ ଲାଗିବ ବୋଲି ମୋହିତ ଷ୍ଟିଲ୍ସର ସୁପରଭାଇଜର କହିଛନ୍ତି । ଡିସେମ୍ବର ୧ ସୁଦ୍ଧା ଭଙ୍ଗା ବଗି, ଇଞ୍ଜିନକୁ ସ୍ଥାନାନ୍ତର ପାଇଁ ରେଲଓ୍ବ ପକ୍ଷରୁ ଡେଡ୍‌ ଲାଇନ୍ ଦିଆଯାଇଛି ।

ଗତ ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାହାନଗା ଷ୍ଟେସନରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଏଥିରେ ୨୯୬ ଜଣଙ୍କ ଜୀବନ ଯାଇଥିଲା । କ୍ଷତିଗ୍ରସ୍ତ ଡବାଗୁଡିକୁ ରେଳବାଇ କର୍ତ୍ତୃପକ୍ଷ ଜରିରେ ଘୋଡ଼ାଇ ରଖିଥିଲେ । ତେବେ ଦୁର୍ଘଟଣାସ୍ଥଳରେ ବଗିଗୁଡ଼ିକ ପଡ଼ି ରହିଥିବାରୁ ସ୍ଥାନୀୟ ଲୋକେ ଏବଂ ସ୍କୁଲ କଲେଜ ଛାତ୍ରଛାତ୍ରୀ ସେହି ବାଟ ଦେଇ ଯିବାଆସିବା କଲାବେଳେ ଏହାକୁ ଦେଖି ସେଦିନର ଛାତିଥରା ଘଟଣାକୁ ମନେ ପକାଇ ଭୟଭୀତ ହେଉଥିଲେ । ଏହାକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ଲୋକେ ସେବେଠୁ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରି ଆସୁଥିଲେ । ଦୁର୍ଘଟଣାର ୪ ମାସ ୨୬ ଦିନ ପରେ ଭଙ୍ଗା ବଗି, ଇଞ୍ଜିନ୍ ଏବଂ ଅନ୍ୟ ଯନ୍ତ୍ରାଂଶକୁ ହଟାଇବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ ।

Exit mobile version