Site icon ଆଜିକାଲି

ବାହାନଗା ରେଳ ଦୁର୍ଘଟଣା : ଏସ୍‌ସିବିରେ ୧୪୦ ଜଣ ଚିକିତ୍ସିତ, ସେମାନଙ୍କ ମଧ୍ୟରୁ ୯ ଆଇସିୟୁରେ ଭର୍ତ୍ତି

କଟକ : କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ରେଳ ଦୁର୍ଘଟଣା ଆହତମାନଙ୍କ ଅବସ୍ଥା ଧିରେ ଧିରେ ସୁଧୁରୁଛି । ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ସ୍ବାସ୍ଥ୍ୟ ମନ୍ତ୍ରୀ ସୋମବାର ଏସ୍‌ସିବି ମେଡ଼ିକାଲରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ବଡ ମେଡିକାଲରେ ଚିକିତ୍ସିତ ଆହତଙ୍କ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଚିକିତ୍ସା ବ୍ୟବସ୍ଥାରେ ସବୁ ଆହତ ବେଶ୍ ସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁମାନେ ସୁସ୍ଥ ହେବେ ସେମାନଙ୍କୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ତାଙ୍କ ଘରେ ପହଞ୍ଚାଇଵେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସେପଟେ ଏସସିବି ମେଡିକାଲ କଲେଜ କୁଳସଚିବ ଡକ୍ଟର ଅବିନାଶ ରାଉତ କହିଛନ୍ତି ଆହତଙ୍କ ମଧ୍ୟରୁ ୧୯୨ଜଣ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫୨ ଜଣ ଚିକିତ୍ସା ପରେ ଘରକୁ ଫେରିଯାଇଛନ୍ତି । ଏବେ ଚିକିତ୍ସିତ ହେଉଥିବା ୧୪୦ ଜଣଙ୍କ ମଧ୍ୟରୁ ୯ ଜଣ ଆଇସିୟୁରେ ଅଛନ୍ତି । ତେବେ ସମସ୍ତ ଚିକିତ୍ସିତଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ରବିବାର ୨୭ ଜଣଙ୍କର ଅପରେସନ ହୋଇଥିବା ବେଳେ ସୋମବାର ଆଉ ୩୦ ଜଣଙ୍କର ଅପରେସନ ହୋଇପାରେ ବୋଲି ମେଡିକାଲ କୁଳସଚିବ କହିଛନ୍ତି । ଆହତମାନଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା କହିଛନ୍ତି ।

ସେପଟେ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ନିଜର ନିଖୋଜ ପରିଜନଙ୍କୁ ଖୋଜି ଖୋଜି ସୋମବାର ମଧ୍ୟ ଅନେକ ପରିବାର ଏସ୍‌ସିବି ମେଡ଼ିକାଲରେ ପହଞ୍ଚିଛନ୍ତି । ନିଖୋଜ ପରିଜନଙ୍କ ପାଇଁ ସୋମବାର ମଧ୍ୟ କଟକ ବଡ଼ ମେଡ଼ିକାଲରେ ଭିଡ । ବିହାର, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ତାମିଲନାଡୁରୁ ଅନେକ ଲୋକ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ମାତ୍ର ଏବେ ସେମାନଙ୍କର କୌଣସି ଖୋଜଖବର ମିଳୁ ନାହିଁ । ଆଧାର କାର୍ଡ, ଫଟୋ ଧରି ଅନେକ ବ୍ୟକ୍ତି କଟକ ବଡ ମେଡିକାଲରେ ପହଞ୍ଚୁଛନ୍ତି ।

Exit mobile version