Site icon ଆଜିକାଲି

ବାହାନଗା ଟ୍ରେନ୍ ଦୁର୍ଘଟଣା : ଚିହ୍ନଟ ହେଲାଣି ୫୦ରୁ ଅଧିକ ମୃତଦେହ, ଦ୍ବନ୍ଦ ଉପୁଜିଲେ ହେବ ଡିଏନ୍‌ଏ ପରୀକ୍ଷା

ଭୁବନେଶ୍ବର : ବାଲେଶ୍ବର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ବିଭିନ୍ନ ହସ୍ପିଟାଲରେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି ପରିବାର ଓ ସମ୍ପର୍କୀୟ ଲୋକ । କିଛି ମୃତଦେହ ପରିଜନଙ୍କୁ ହସ୍ତାନ୍ତର ମଧ୍ୟ କରାଯାଇସାରିଛି । ତେବେ ମୃତଦେହ ହସ୍ତାନ୍ତର ପାଇଁ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ପ୍ରଶାସନ ପାଇଁ ସବୁଠୁ ଚ୍ୟାଲେଞ୍ଜର ବିଷୟ ହେଉଛି ଗୋଟିଏ ମୃତଦେହ ପାଇଁ ଏନେକ ଦାବିଦାର ରହୁଛନ୍ତି । ତେବେ ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

ବିଏମ୍‌ସି କମିଶନର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଅଧିକ ମୃତଦେହ ଚିହ୍ନଟ ହୋଇସାରିଛି । ମୃତଦେହ ଗୁଡ଼ିକ ପଠାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏବେବି ଅନେକ ମୃତଦେହ ଚିହ୍ନଟ କରାଯାଇ ପାରିନି । ଅଧିକାଂଶ ମୃତଦେହ ଚିହ୍ନିବା ଅବସ୍ଥାରେ ନାହିଁ । ତେଣୁ ସେମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଇଛି । ସେପଟେ ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ରହୁଛନ୍ତି ।

ସେପଟେ ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି, ମୃତଦେହ ବ୍ୟବଚ୍ଛେଦ ପରେ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି l ମୃତଦେହ ଗୁଡ଼ିକୁ ଠିକଣାରେ ପହଞ୍ଚାଇବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି l ଚିହ୍ନଟ ପରେ ମାଗଣା ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯାଉଛି l କିଛି ଲୋକ ମୃତ ଶରୀର ପାଇ ପାରୁନାହାନ୍ତି, ଅସୁବିଧା ହେଉଛି । କିନ୍ତୁ ଏପରି ମାସ୍ ଡେଥ୍ରେ ଏହା ସ୍ବାଭାବିକ l ମୃତଦେହକୁ ଡିସ୍‌ପୋଜ୍ ପାଇଁ ସ୍ପେଶାଲ ଟିମ୍ ଆସିଛନ୍ତି । ଏ ନେଇ କାର୍ଯ୍ୟ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ବାଲେଶ୍ୱରରୁ ୧୮୦ ମୃତଦେହ ଆସି ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲେ ରଖାଯାଇଥିଲା । ଏହିସବୁ ଶବ ଚିହ୍ନଟ ପାଇଁ ପକ୍ରିୟା ଆରମ୍ଭ ହୋଇଥିଲା । ବିଏମ୍‌ସି କଣ୍ଟ୍ରୋଲ ରୁମ୍‌ ଟ୍ରୋଲ ଫ୍ରି ନମ୍ବର ଜାରି କରିଥିଲା । ଏମ୍‌ସ୍‌ରେ ୧୧୦, ସମ୍‌ରେ ୨୦, କିମ୍ସରେ ୨୦, କ୍ୟାପିଟାଲ ହସ୍ପିଟାଲରେ ୧୪, ଆମ୍ରିରେ ୫, ହାଇଟେକ୍‌ରେ ୫ ମୃତଦେହ ରଖାଯାଇଥିବା ସୂଚନା ରହିଥିଲା । ପ୍ରତି ହସ୍ପିଟାଲରେ ବିଏମ୍‌ସି ପକ୍ଷରୁ ଜଣେ ଡେପୁଟି କମିଶନର, ଦୁଇ ଜଣ ୱାର୍ଡ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସହ ବରିଷ୍ଠ ଅଧିକାରୀମାନେ କଣ୍ଟ୍ରୋଲ୍ ରୁମ୍‌ରେ ରହି ଏହାର ପରିଚାଳନା କରିଥିଲେ ।

Exit mobile version