Site icon ଆଜିକାଲି

ବାହାନଗା ଟ୍ରେନ୍‌ ଟ୍ରାଜେଡି : ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଷ୍ଟେସନ ନିକଟରେ ଘଟିଲା ଏ ବର୍ଷର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା । ଯାହା ଭାରତୀୟ ରେଳ ପାଇଁ ଥିଲା କଳା ଦିବସ । କେହି କିଛି ଜାଣିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହେଲେ ୩ ଟ୍ରେନ୍‌ । ଚାହୁଁଚାହୁଁ ଆଖି ବୁଜିଲେ ଶହ ଶହ ଲୋକ । ବାହାନଗାରେ ଘଟିଥିବା ଏହି ଭୟଙ୍କର ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ସଂଖ୍ୟା ୨୮୮ରେ ଛୁଇଁଛି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଆହତ ୯୦୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସେହିପରି ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିତି ସମୀକ୍ଷା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ବାହାନଗାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଶିକାର ହୋଇଥିବା ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଭାବେ ଚିକିତ୍ସା ଦେବା ଲାଗି ଗୁରୁତ୍ୱ ଦିଆଯାଇଛି। ଉଦ୍ଧାର ଓ ରେଳ ଲାଇନ୍‌ ମରାମତି ପାଇଁ ପ୍ରକିୟା ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳର ଟ୍ରେନ୍ ଟ୍ରାକ୍ ସଜାଡିବା ପାଇଁ ମେସିନ ଗୁଡିକ ଘଟଣାସ୍ଥଳରେ ପହଞ୍ଚି ସାରିଛି। ରାଜ୍ୟ ସରକାରଙ୍କ ଅନୁମତି ପରେ ଖୁବ୍‌ଶୀଘ୍ର ଟ୍ରାକ୍ ଗୁଡ଼ିକ ସଜଡାଯିବ। ବର୍ତ୍ତମାନ ଏହି ରୁଟ୍‌ରେ ସମସ୍ତ ଟ୍ରେନ୍ ବାତିଲ ରହିଛି। ଏତେ ବଡ଼ ଦୁର୍ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯାଇଛି।

Exit mobile version