Site icon ଆଜିକାଲି

୨୧ ବେଢା ପରିକ୍ରମା କରି ଚାପ ଖେଳିଲେ ପ୍ରଭୁ ବଳଦେବଜୀଉ


କେନ୍ଦୁଝର, (ବ୍ରଜକିଶୋର ରାୟ) ପବିତ୍ର ଅକ୍ଷୟ ତୃତୀୟା ଠାରୁ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶନିବାର ଯଥାରୀତିରେ ଶ୍ରୀବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ସମାପନ ହୋଇଛି । ଚାପ ଉପରେ ମଧୁସୂଦନ ରୁପି ବିଜେ ପ୍ରତିମାଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୂଣ୍ୟ ଅର୍ଜନ କରିଛନ୍ତି । ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ବିଶେଷ ନୀତିକାନ୍ତି ସହ ସିଦ୍ଧ ଜଗନ୍ନାଥ ଏବଂ ବନବିହାରୀଙ୍କ ଚଳନ୍ତି ପ୍ରତିମା ଏହି ଚାପ ଖେଳିଥିଲେ । ସୁସଜ୍ଜିତ ହଂସମୁଖ ଚାପ ଉପରେ ୨୧ ବେଢା ପରିକ୍ରମା କରି ଚାପ ଖେଳିଥିଲେ ପ୍ରଭୁ । ଏହି ଅବସରରେ ଅନ୍ତିମ ଦିବସରେ ମହାପ୍ରଭୁଙ୍କ ଚାପ ଖେଳ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଅନ୍ୟ ଜଗନ୍ନାଥ ମନ୍ଦିରରେ ୭ ଦିନ ଚନ୍ଦନ ଯାତ୍ରା ହେଉଥିବା ଦେଖିବାକୁ ମିଳୁଥିବାବେଳେ କେନ୍ଦୁଝର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ୨୧ଦିନ ଧରି ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାର ସ୍ବତନ୍ତ୍ର ପରମ୍ପରା ରହିଛି । ଜଗନ୍ନାଥ ସଂସ୍କୃତିରେ ଅନୁଷ୍ଠିତ ଦ୍ଵାଦଶ ଯାତ୍ରା ମଧ୍ୟରୁ ଚନ୍ଦନଯାତ୍ରା ଅନ୍ୟତମ । ଶ୍ରୀକ୍ଷେତ୍ର ପରି କେନ୍ଦୁଝର ଇଷ୍ଟଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ମଧ୍ୟ ଅକ୍ଷୟ ତୃତୀୟା ଦିନଠାରୁ ଏହି ୨୧ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରତିଦିନ ଅପରାହ୍ନରେ ଶ୍ରୀ ଶ୍ରୀବଳଦେବଜୀଉଙ୍କ ବିଜେ ପ୍ରତିମା, ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା, ମହାଲକ୍ଷ୍ମୀଙ୍କ ବିଜେ ପ୍ରତିମା ଓ ମଦନମୋହନ ବଳଦେବଜିଉ ମନ୍ଦିରରୁ ସୁସଜ୍ଜିତ ପାଲିଙ୍କିରେ ଆସିଥିବାବେଳେ ରାଜ ଉଆସର ଜୟ ଗୋପାଳ, ରାଧା, ଦୂତିକା ଆଦି ସୁସଜ୍ଜିତ ପାଲିଙ୍କିରେ ବସି ଚାପ ଖେଳିବା ନିମନ୍ତେ ରାଜ ଉଆସ ନିକଟସ୍ଥ ଚନ୍ଦନ ପୋଖରୀ (ମାଟିଆବନ୍ଧ) ପୋଖରୀକୁ ଆସିଥାନ୍ତି । ଦୁଇଟି ସୁସଜ୍ଜିତ ନୌକାକୁ ଯୋଡି ନିର୍ମାଣ ହୋଇଥିବା ପକ୍ଷଯୁକ୍ତ ହଂସମୁଖ ସଦୃଶ ଚାପରେ ଠାକୁରମାନେ ଜଳାଶୟ ଭିତରେ ଥିବା ମନ୍ଦିରକୁ ବିଜେ କରିଥାନ୍ତି । ସେଠାରେ ସିଂହାସନ ବିଜେ ହେଲା ପରେ ପୂଜାର୍ଚ୍ଚନା ପୂର୍ବକ ବେଢ଼ା ପରିକ୍ରମା ହୋଇଥିଲା । ଯାତ୍ରାର ୨୧ତମ ବା ଅନ୍ତିମ ଦିବସରେ ଶ୍ରୀବଳଦେବଜୀଉ, ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀ, ଓ ମଦନ ମୋହନ ବଳଦେବଜୀଉଙ୍କ ବିଜେ ପ୍ରତିମା ମନ୍ଦିରରୁ ସୁସଜ୍ଜିତ ପାଲିଙ୍କିରେ ଆସିଥିବାବେଳେ ରାଜ ଉଆସର କୃଷ୍ଣ, ରାଧୁ, ଦୂତିକା ଆଦି ମହା ଆଡ଼ମ୍ବରରେ ବାଜା ରୋଷଣି ସହ ବିରାଟ ପଟୁଆରରେ ଆସିଥିଲେ । ଗଡ଼ସାହି ଶିବ ମନ୍ଦିରରେ ବିଶେଷ ପୂଜା ସାରି ଚନ୍ଦନ ପୋଖରୀ ବା ମାଟିଆ ବନ୍ଧ ପୁଷ୍କକରିଣୀକୁ ବିଜେ କରିଥିଲେ । ଏହି ଅବସରରେ ସିଦ୍ଧ ଜଗନ୍ନାଥ ଓ ବନବିହାରୀଙ୍କ ବିଜେ ପ୍ରତିମା ମଧ୍ୟ ଚାପ ଖେଳରେ ଯୋଗ ଦେଇଥିଲେ । ଶେଷ ଦିବସରେ ୨୧ ବେଢ଼ା ଚାପ ଖେଳି ସାରିବା ପରେ ବାହାର ଚନ୍ଦନଯାତ୍ରା ସମାପନ ହୋଇଛି । ଏହି ପର୍ବାଣୀ ପାଇଁ ପୁରୁଣା ବଜାର ଅଞ୍ଚଳ ଉତ୍ସବମୁଖର ହୋଇ ଉଠଇଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Exit mobile version