କେନ୍ଦୁଝର, କେନ୍ଦୁଝର ଜିଲାରେ ବିଭିନ୍ନ ସଂପ୍ରଦାୟର ଲୋକେ ନିଜ ନିଜ ଶୈଳୀରେ ଏହି ପର୍ବକୁ ପାଳନ କରୁଥିବା ବେଳେ କୁଡୁମି ସଂପ୍ରଦାୟର ଲୋକ ମାନେ ମଧ୍ୟ କୌଣସି କ୍ଷେତ୍ରରେ ପଛୁଆ ନାହାଁନ୍ତି । ବିଶେଷ ରୀତିନୀତିରେ ୩ ଦିନ ଧରି ବେଶ ଧୁମଧାମରେ ବାନ୍ଦଣା ପରବ ପାଳନ କରିଥାଆନ୍ତି। ବିଶେଷ କରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଏହି କୃଷି ଭିତ୍ତିକ ପର୍ବକୁ ପାଳନରେ ଏକ ସ୍ବତନ୍ତ୍ରତା ଦେଖା ଯ଼ାଇଥାଏ। କେନ୍ଦୁଝର ଜିଲାର କୁଡୁମି ସଂପ୍ରଦାୟର ଲୋକ ମାନଙ୍କ ସବୁଠାରୁ ବଡ ପର୍ବ ବାନ୍ଦଣା ପରବ ପାଳନ ପାଇଁ ଏବେ ଗାଁ ଗାଁ ରେ ଉତ୍ସବର ମାହୋଲ। ସଦର ବ୍ଲକ ମୁରୁସୁଆଁ, ହୁଣ୍ଡୁଳା, ଖପରାଖାଇ,ରାଇକଳା,ନୂଆଗାଁ, ପାଟଣା ବ୍ଲକ ର ଖୁଣ୍ଟାପଡା ଓ ଚାଙ୍ଗୁଆପଡା ଝୁମ୍ପୁରା ବ୍ଲକ ର ଚଉଠିଆ,ବାରୁଣା, କଳିଙ୍ଗା ପରି ଅନେକ ଗ୍ରାମରେ ଏହି ପର୍ବ ବେଶ ଧୁମଧାମରେ ୩ ଦିନ ଧରି ପାଳିତ ହେଇଥାଏ ।
ପର୍ବ ପାଳନ ପାଇଁ ଗ୍ରାମବାସୀ ନୂଆମାଟିରେ ଘରକୁ ଲିପାପୋଛା କରି ୧୦ ଦିନ ପୁର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ପରିବାରର ସମସ୍ତ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ବର୍ଷ ସାରା ଚାଷ କାମରେ ସାହାର୍ଯ୍ୟ କରି ଆସୁଥିବା ପଶୁଧନ ଯଥା – ଗାଈ, ବଳଦ, ପଣ୍ଡା, ମଇଁଷି ଆଦି ଙ୍କୁ ଏହି ପର୍ବ ରେ ପୂଜା କରିଥାନ୍ତି । ଗାଇ ଗୋରୁ, ପଣ୍ଡା,ମଇଁଷି ଆଦି ଙ୍କୁ ଭଲ ଭାବରେ ଗାଧୋଇ ଦେବା ପରେ ଶିଙ୍ଗରେ ତେଲ ଲଗାଇ ଦିଆ ଯାଇଥାଏ। ବାନ୍ଦଣା ପରବ ର ପ୍ରଥମ ଦିନ ର ଅପରାହ୍ନରେ ଗ୍ରାମର ସମସ୍ତ ଗାଇଗୋରୁ ଙ୍କୁ ଗାଁ ମୁଣ୍ଡ ଗୋଠରେ ଏକାଠି କରାଯାଏ । ଗ୍ରାମର କୁଡୁମି ପୂଜକ ଓ ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ଗ୍ରାମ ଦେବତୀଙ୍କ ସ୍ମରଣ କରି ପୂଜା ପାଠ କରି ଏକ ଅଣ୍ଡାକୁ ରଖି ଗୋରୁ ମାନଙ୍କୁ ଦୌଡାଇ ଥାନ୍ତି । ଯେଉଁ ଲୋକଙ୍କ ଗାଇର ଖୁରାରେ ଅଣ୍ଡାଟି ଫାଟିଥାଏ ସେହି ବ୍ୟକ୍ତିଙ୍କୁ ଗ୍ରାମର ଭାଗ୍ୟଶାଳି ବ୍ୟକ୍ତି ବିବେଚିତ କରି ତାଙ୍କୁ କାନ୍ଧରେ ବସାଇ ଗ୍ରାମକୁ ଆଣିଥାନ୍ତି । ଏହା ପରେ ଗ୍ରାମରେ ପିଠାପଣା ସହ ମାଦଳର ତାଳେ ତାଳେ କୁଡ଼ମାଲି ଭାଷା ର ଅହିରେ ଗୀତ ରେ ଚାଞ୍ଚର ଖେଳି ନାଚଗୀତରେ ଗ୍ରାମବାସୀ ମଜ୍ଜି ଯାଇଥାନ୍ତି ।ସେହିପରି ଦ୍ବିତୀୟ ଦିନରେ ଗୁହାଳ ପୂଜା ପାଳିତ ହୋଇଥାଏ। ନୂଆମାଟି ଲିପା ଯାଇଥିବା ଗାଁ ଦାଣ୍ଡରୁ ଗୁହାଳ ପର୍ଯ୍ୟନ୍ତ ଝୋଟି ପକାଯାଇ ଥାଏ । ଝୋଟି ମାଡି ପଶୁଧନ ଘରକୁ ପ୍ରବେଶ କଲେ ଭଲ ଚାଷ ହେବା ସହିତ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥିବା ବିଶ୍ବାସ ରହିଛି । ଏହି ଦିନ ଗୁହାଳରେ ମହିଳାମାନେ ପଶୁ ଧନ ଙ୍କୁ ଧୁପ ଦିପରେ ବନ୍ଦାପନା କରିଥାନ୍ତି। ତାପରେ ଉତ୍ପାଦିତ ନୂଆ ଶଷ୍ୟରେ ରୋଷେଇ କରାଯାଇ ପୂର୍ବ ପୁରୁଷ ମାନଙ୍କୁ ଭୋଜନ ଦିଆଯାଇଥାଏ । ତା ପର ଦିନକୁ ବୁଢ଼ୀ ବନ୍ଦଣା କୁହାଯାଏ । ଧିଙ୍ଗମାନି ରେ ଧାଙ୍ଗୁଆନ୍ ମାନେ ମାଦଳର ସ୍ୱର ଧିଙ୍ଗ ଧିଧାଙ୍ଗ ଧିନ ରେ ନାଚଗୀତ କରିଥାନ୍ତି । ଆଉ ଏହି ଶଦ୍ଧର ତୀଳେ ତାଳେ ଗାଇ ଗୋରୁକୁ ନଚା ଯାଇଥାଏ। ଏହି ତିନି ଦିନ ଯାକ ବେଶ ଧୁମ ଧାମରେ ଏହି ଗଣ ପର୍ବକୁ ପାଳନ କରିଥାନ୍ତି ଏମାନେ ।