Site icon ଆଜିକାଲି

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ପଟ୍ଟାମୁଣ୍ଡାଇ : ଦୀର୍ଘ ୩ ମାସ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ଓ ବୁଲିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଜାତୀୟ ଉଦ୍ୟାନକୁ ଆସିବାକୁ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଏବଂ ଜଳପଥରେ ପ୍ରବେଶ କରିବା ପାଇଁ ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଆସିପାରିବେ ପର୍ଯ୍ୟଟକ। ଏହାଛଡା ରାତ୍ରୀଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ୍‌ ବ୍ୟବସ୍ଥା ହୋଇଛି। କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ଜୁଲାଇ ୩୧ ଯାଏଁ ବନ୍ଦ ରହିଥିଲା ଉଦ୍ୟାନ୍‌ । ଏବେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ ପାଇଁ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି।

ଭିତରକନିକାକୁ ପଲିଥିନ ମୁକ୍ତ କରିବାକୁ ପର୍ଯ୍ୟଟକମାନଙ୍କୁ ସଚେତନ କରାଯିବ । ଭିତରକନିକା ଯେପରି ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ମୁକ୍ତ ଜାତୀୟ ଉଦ୍ୟାନ ହେବ, ସେଥିପାଇଁ ସବୁସ୍ତରରେ ସଚେତନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକମାନେ ପଲିଥିନ ଭିତରକୁ ନେଇ ଏଣେ ତେଣେ ଫୋପାଡ଼ିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ । ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ୍‌କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ପର୍ଯ୍ୟଟକମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟଜଳର ବ୍ୟବସ୍ଥା କରାଯିବ । ସୁସ୍ଥ ପରିବେଶ ପାଇଁ ପର୍ଯ୍ୟଟକମାନେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ମୁକ୍ତ ଭିତରକନିକା ଗଢ଼ିବାରେ ସହଯୋଗର ହାତ ବଢ଼େଇବାକୁ କନିକା ରେଂଜ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି । ପଲିଥିନ୍‌ ବଦଳରେ କପଡ଼ା ବ୍ୟାଗ୍‌, କାଗଜ ବ୍ୟାଗ୍‌ ଓ ଝୋଟରେ ପ୍ରସ୍ତୁତ ବ୍ୟାଗ୍‌ ବ୍ୟବହାର କରିବାକୁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

Exit mobile version