Site icon ଆଜିକାଲି

ଭିକାରୀ ମୁକ୍ତ ହେବ ଭୁବନେଶ୍ୱର : ପ୍ରୟାସ ଆରମ୍ଭ କଲା ବିଏମସି

ଭୁବନେଶ୍ୱର : ଭୁବନେଶ୍ବରକୁ ଭିକାରୀ ମୁକ୍ତ କରିବାକୁ ଭୁବନେଶ୍ୱର ମହାନଗର ନିଗମ – ବିଏମସିର ପ୍ରୟାସ । ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବା ପ୍ରସଙ୍ଗରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ସହାୟତାରେ ଭୁବନେଶ୍ବରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ପାର୍ବଣ ଋତୁରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା କଡରେ କୌଣସି ବି ଭିକାରୀ ଯେପରି ନ ରହନ୍ତି, ସେଥିପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମ୍‌ସିର ତିନୋଟି ଜୋନ୍‌ରେ ୩ଟି ସ୍କ୍ୱାଡ୍ ଗଠନ କରାଯିବ । ଏହି ସ୍କ୍ୱାଡ୍ ସଂପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ବାବଧାନରେ ରହିବ । ମନ୍ଦିର ଓ ପୂଜାସ୍ଥଳୀରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍କ୍ୱାଡ୍ ନିୟମିତ ବୁଲି ଦେଖିବାକୁ କୁହାଯାଇଛି । କିଛି ଭିକାରୀଙ୍କୁ ପରିବାର ସହ ଯୋଗାଯୋଗ କରାଯାଇ ସେମାନଙ୍କ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁନଶ୍ଚ ଭିକ୍ଷାବୃତ୍ତି ପାଇଁ ପଠାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version