Site icon ଆଜିକାଲି

ହୀରାକୁଦରେ ପକ୍ଷୀ ଗଣନା, ରେକର୍ଡ ଟପିଲା ସଂଖ୍ୟା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା। ଚଳିତବର୍ଷ ହୀରାକୁଦକୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ରେକର୍ଡ ଟପିଛି । ଗତବର୍ଷ ଠାରୁ ୧ଲକ୍ଷ ୧୬ହଜାର ଅଧିକ ସଂଖ୍ୟାରେ ପକ୍ଷୀ ଆସିଥିବା ଜଣାପଡିଛି । ସେହିପରି ୩ଟି ଅଧିକ ପ୍ରଜାତିର ପକ୍ଷୀ ବି ଠାବ ହୋଇଛନ୍ତି ।

ଚଳିତବର୍ଷ ରେକର୍ଡ ସଂଖ୍ୟ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ୬୭୬ଟି ପକ୍ଷୀ ଜଳଭଣ୍ଡାରକୁ ଆସିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୧୦ ପ୍ରଜାତିର ନୂଆ ପକ୍ଷୀ ରହିଥିବା ନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ୨୦୨୨ ମସିହାରେ ହୀରାକୁଦ ଜଳଭଣ୍ଡାରକୁ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିଲା । ହେଲେ ଏବର୍ଷ ୧ ଲକ୍ଷ ୧୬ ହଜାର ଅଧିକ ପକ୍ଷୀ ଆସିଛନ୍ତି । ୨୦୨୧ରେ ହୀରାକୁଦକୁ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ପକ୍ଷୀ, ୨୦୨୦ରେ ୪୧ଟି ପ୍ରଜାତିର ୧ ଲକ୍ଷ ୩ ହଜାର ୧୧୭ଟି ବିଦେଶୀ ପକ୍ଷୀ ଆସିଥିଲେ ।

ଚଳିତବର୍ଷ ନୂତନ ଭାବେ ଠାବ ହୋଇଥିବା ପ୍ରଜାତି ଗୁଡିକ ହେଲେ ବାର୍ ଟେଲ୍ଡ ଗୋଡବିଟ୍‌, ପାଏଡ୍ ହାରିଅ,ର୍ କରଲି ସାଣ୍ଡପାଇପ,ର୍ କଟନ୍ ପିଗମି ଗୁସ୍‌, କାସପିଆନ୍ ଟର୍ନ, ବ୍ଲୁ ଟେଲ୍ଡ ବି-ଇଟର, କ୍ରେଷ୍ଟେଡ୍ ସରପେଣ୍ଟ ଇଗଲ୍‌, ଉଲି ନେକ୍ଡ ଷ୍ଟ୍ରୋକ୍‌, ୟେଲେଶ ବିଲ୍ଡ ଡକ୍ ଓ ପେଣ୍ଟେଡ୍ ଷ୍ଟ୍ରୋକ୍ । ଚଳିତ ବର୍ଷ ଜଳଭଣ୍ଡାରକୁ ଅଧିକ ସଂଖ୍ୟକ ୩ଟି ପ୍ରଜାତିର ପକ୍ଷୀ ଆସିଥିଲେ । ସେମାନଙ୍କ ମଧ୍ୟରେ ୬୬ ହଜାର ୭୧୨ଟି ଲେସର ହ୍ୱିସଲିଂ ଡକ୍‌, ୪୪ ହଜାର ୮୨୦ଟି ଟଫଡ ଡକ୍ ଓ ୩୪ ହଜାର ୬୮୦ଟି କନ୍ କୁଟ୍ ରହିଥିବା ଜଣାପଡ଼ିଛି । ଏହାବାଦ୍ ଜଳଭଣ୍ଡାରର ମୋଟ ୧୫ଟି ସେକ୍ଟର ମଧ୍ୟରୁ ଦୁଇ ତୃତୀୟାଂଶ ପକ୍ଷୀ କେବଳ ୩ଟି ସେକ୍ଟରରେ ହିଁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ହୀରାକୁଦ ଜଳଭଣ୍ଡାରର ୫୩୩ ବର୍ଗ କିମି ଓ ପାବାର ଚ୍ୟାନେଲର ୫.୭ ବର୍ଗ କିମି ପରିବ୍ୟାପ୍ତ ଅଞ୍ଚଳକୁ ମୋଟ ୧୫ଟି ସେକ୍ଟରରେ ଭାଗ କରାଯାଇ ଏହି ପକ୍ଷୀ ଗଣନା କରାଯାଇଥିଲା । ପ୍ରତିବର୍ଷ ନଭେମ୍ବରରେ ସାଇବେରିଆ, ମଙ୍ଗୋଲିଆ, ହିମାଳୟ, କାସ୍ପିଆନ୍ ସି, ଆଫଗାନିସ୍ତାନ, ଇରାକ୍ ରୁ ଏହି ପକ୍ଷୀମାନେ ହୀରାକୁଦ ଜଳଭଣ୍ଡାରକୁ ଆସି ମାର୍ଚ୍ଚରେ ଫେରିଯାନ୍ତି ।

Exit mobile version