କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନ ଡେରାବିଶ ବ୍ଲକ୍ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରଶାସନ ତତ୍କାଳ ସତର୍କତାମୂଳକ ପଦକ୍ଷେପ ହାତକୁ ନେଇଛି । ବ୍ଲକ୍ର ଦୁଇ ପଞ୍ଚାୟତ ବାଲିଆ ଓ ଏଣ୍ଡରରେ ବାର୍ଡ ଫ୍ଲୁ ରିପୋର୍ଟ ପଜିଟିଭ୍ ଆସିବା ପରେ ଏଠାରେ ରବିବାର ଠୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଯାଇଛି । ଉଭୟ ଗ୍ରାମ ପଞ୍ଚାୟତର ପ୍ରାୟ ୨୨ଟି ଗ୍ରାମରେ କୁକୁଡ଼ାକୁ ମାରା ଯାଉଛି। ରବିବାର ପ୍ରାୟ ୪ ହଜାର ଅଧିକ କୁକୁଡ଼ା ମରାଯାଇଥିବା ସୂଚନା ମିଳିଛି । ସୋମବାର ସକାଳୁ କୁକୁଡ଼ା ମରା ଅଭିଯାନ ୧୪ଟିମ୍ ସାମିଲ ହୋଇଛନ୍ତି।ଆଜି ମଧ୍ୟ ବିଭିନ୍ନ ଅଞ୍ଚଳରେ କଲିଂ କାମ ଜାରି ରହିବ। ସଂକ୍ରମଣ କୁ ଦୃଷ୍ଟିରେ ରଖି ଏବେ କୁକୁଡା ମାଂସ ଓ ଅଣ୍ଡା ନଖାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l
ରବିବାର ଜିଲ୍ଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ୨ଟି ଟିମ୍ ଗଠନ କରାଯାଇ ବାଲିଆ ଓ ଏଣ୍ଡରରେ ଥିବା କୁକୁଡ଼ା ଫାର୍ମରୁ ବାର୍ଡ ଫ୍ଲୁ ସଂକ୍ରମିତ କୁକୁଡ଼ାକୁ ମାରି ମାଟି ତଳେ ପୋତାଯାଇଛି । ପ୍ରାୟ ୪ ହଜାର ଅଧିକ କୁକୁଡ଼ା ମରାଯାଇଥିବା ସୂଚନା ମିଳିଛି ।
ସଂକ୍ରମିତ କୁକୁଡ଼ା ଫାର୍ମ ଅଞ୍ଚଳର ୧କିମି ପରିଧି ମଧ୍ୟରେ ରହିଥିବା ଅନ୍ୟ କୁକୁଡ଼ା ଫାର୍ମଗୁଡିକରୁ ସମସ୍ତ କୁକୁଡ଼ାକୁ ମରାଯାଇ ପୋତାଯିବା ପରେ ସମସ୍ତ ଫାର୍ମ ଗୁଡ଼ିକୁ ସଫେଇ ଓ ପରେ ବିଶୋଧିତ କରାଯିବ । ଏହି କାମ ପାଇଁ ନିୟୋଜିତ ୧୪ଟି ଟିମ୍ରୁ ୬ଟି ଲେଖାଏଁ ଟିମ୍ ବାଲେଶ୍ୱର ଓ ମୟୂରଭଞ୍ଜରୁ ଆସିଛନ୍ତି । ପ୍ରତି ଟିମ୍ରେ ଜଣେ ଲେଖାଏଁ ଭେଟନାରି ଅଫିସର, ୨ଜଣ ଏଲ୍ଆଇ ଓ ଜଣେ ଲେଖାଏଁ ଆଟେଣ୍ଡାଣ୍ଟ୍ ଅଛନ୍ତି । ଉକ୍ତ ୧୨ଟି ଟିମ୍ କେନ୍ଦ୍ରାପଡ଼ାରେ ପହଞ୍ଚିଯାଇଥିବାବେଳ ଟିମ୍ର ପ୍ରତ୍ୟେକ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏଥିପାଇଁ ଦୈନିକ କୁକୁଡ଼ା ମରା ଅଭିଯାନକୁ ଯିବା ପୂର୍ବରୁ ସେମାନଙ୍କୁ ଟାମି ଫ୍ଲୁୂ ଟାବ୍ଲେଟ ଦିଆଯିବ । ଫଳରେ ସେମାନଙ୍କର ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି ପାଇବ । ଆସନ୍ତା ୨ଦିନ ମଧ୍ୟରେ ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ ଶେଷ କରାଯିବାକୁ ଲକ୍ଷ୍ୟ ରହିଛି।
ଏଣ୍ଡରର ୮ଟି ଗ୍ରାମ ଓ ବାଲିଆର ୧୪ଟି ଗ୍ରାମ ଓ ଗୋଲରାହାଟ ପଞ୍ଚାୟତରେ ଥିବା ୭୦ଟି ଫାର୍ମରେ କୁକୁଡ଼ା ମରାଯିବାକୁ ବିଭାଗ ଯୋଜନା ରଖିଛି । ବାଲିଆ ପଞ୍ଚାୟତରେ ୫୭ଟି ଓ ଏଣ୍ଡର ପଞ୍ଚାୟତରେ ୫୮ଟି ଫାର୍ମ ଥିବାବେଳେ ଯେଉଁ ଫାର୍ମରେ କୁକୁଡ଼ା ଅଛି ସେଠାରେ ମରାଯିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପାଇଁବ୍ୟବସ୍ଥା ରହିଛି । ଅନ୍ୟପକ୍ଷେ ଆଜି କେନ୍ଦ୍ରାପଡ଼ା ପୌରପାଳିକାରେ କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ଓ ଖାଇବା ଉପରେ କଟକଣା ଜାରି କରାଯାଇଛି ।
ଏଥିପାଇଁ ସହରାଞ୍ଚଳରେ ପ୍ରଚାର ଗାଡ଼ି ବୁଲି ଅଞ୍ଚଳବାସୀଙ୍କୁ ସଚେତନ କରାଇଛି । କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାକୁ ବାରଣ କରାଯିବା ସହ ଏହାର ବିକ୍ରି ନିଷେଧ କରାଯାଇଛି । ପ୍ରଶାସନର ନିର୍ଦ୍ଦେଶ ସତ୍ତେ୍ୱ ଚିକେନ୍ ଓ ଅଣ୍ଡା ବିକ୍ରି ହେଉଥିବାରୁ ନଜର ଆସିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନତଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚାଇ ଦିଆଯାଇଛି ।
ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀଙ୍କ କହିବା କଥା, କୁକୁଡ଼ା ମରା ଯେତେ ଶୀଘ୍ର ସରିଲେ, ବାର୍ଡ ଫ୍ଲୁ ଭୂତାଣୁ ନାଶ କରାଯାଇପାରିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ଦିନେ ଅବା ଦୁଇଦିନରେ ଏହା ଶେଷ ହୋଇଯିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସହାୟତା ରାଶି ଯୋଗାଇ ଦିଆଯିବ । ୮ ସପ୍ତାହରୁ ଅଧିକ କୁକୁଡ଼ା ପିଛା ୯୦ ଟଙ୍କା, ୬ ସପ୍ତାହରୁ ଅଧିକ କୁକୁଡ଼ା ପାଇଁ ପାଇଁ ୭୦ ଟଙ୍କା, କୁକୁଡ଼ା ଚିଆଁ ପିଛା ୨୦ ଟଙ୍କା, ଅଣ୍ଡା ପିଛା ୩ଟଙ୍କା ଓ ଖାଦ୍ୟ କିଲୋ ପିଛା ୧୪ ଟଙ୍କା ପ୍ରଦାନ କରାଯିବ । ଏହି କୁକୁଡ଼ା ମରା ଅଭିଯାନରେ ପ୍ରାଣୀଧନ ବିଭାଗର ଡା. ବିବେକାନନ୍ଦ ସାହୁ, ଡା. ସୁଧାଂଶୁ ଶେଖର ମଣ୍ଡଳ, ଡା. ଦିଲ୍ଲୀପ ସେଠୀ, ଫୁଲନଖରା ସ୍ଥିତ ପ୍ରାଣୀଧନ ବିଭାଗ ଗବେଷଣାଗାରର ବିଶେଷଜ୍ଞ ଡା. ପାର୍ଥସାରଥି ଓ ଜ୍ୟୋତିରଞ୍ଜନ ବିଶ୍ୱଳ ଓ କର୍ମଚାରୀ ଜ୍ୟୋତିରଞ୍ଜନ ଜେନାଙ୍କ ସମେତ ଗରଦପୁର ଓ ପଟ୍ଟାମୁଣ୍ଡାଇ ବ୍ଲକ୍ ପ୍ରାଣୀଧନ ବିଭାଗୀୟ ଟିମ୍ ସାମିଲ ଥିଲେ ।