Site icon ଆଜିକାଲି

କେନ୍ଦ୍ରାପଡ଼ାରେ କୁକୁଡ଼ା ମରା ଅଭିଯାନ : ପୋତାଗଲା ୪ ହଜାର, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା

କେନ୍ଦ୍ରାପଡ଼ା :  କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନ ଡେରାବିଶ ବ୍ଲକ୍‌  ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ  ପ୍ରଶାସନ ତତ୍କାଳ ସତର୍କତାମୂଳକ ପଦକ୍ଷେପ  ହାତକୁ ନେଇଛି । ବ୍ଲକ୍‌ର ଦୁଇ ପଞ୍ଚାୟତ ବାଲିଆ  ଓ ଏଣ୍ଡରରେ ବାର୍ଡ ଫ୍ଲୁ ରିପୋର୍ଟ ପଜିଟିଭ୍‌  ଆସିବା ପରେ ଏଠାରେ ରବିବାର ଠୁ କୁକୁଡ଼ା ମରା  ଅଭିଯାନ ଆରମ୍ଭ ହୋଇଯାଇଛି । ଉଭୟ ଗ୍ରାମ  ପଞ୍ଚାୟତର ପ୍ରାୟ ୨୨ଟି ଗ୍ରାମରେ କୁକୁଡ଼ାକୁ ମାରା ଯାଉଛି। ରବିବାର ପ୍ରାୟ ୪ ହଜାର ଅଧିକ କୁକୁଡ଼ା ମରାଯାଇଥିବା ସୂଚନା ମିଳିଛି । ସୋମବାର ସକାଳୁ କୁକୁଡ଼ା ମରା ଅଭିଯାନ ୧୪ଟିମ୍ ସାମିଲ ହୋଇଛନ୍ତି।ଆଜି ମଧ୍ୟ ବିଭିନ୍ନ ଅଞ୍ଚଳରେ କଲିଂ କାମ ଜାରି ରହିବ। ସଂକ୍ରମଣ କୁ ଦୃଷ୍ଟିରେ ରଖି ଏବେ କୁକୁଡା ମାଂସ ଓ ଅଣ୍ଡା ନଖାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l

ରବିବାର  ଜିଲ୍ଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ ଡା.  ସୁବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ୨ଟି ଟିମ୍‌  ଗଠନ କରାଯାଇ ବାଲିଆ ଓ ଏଣ୍ଡରରେ ଥିବା କୁକୁଡ଼ା ଫାର୍ମରୁ ବାର୍ଡ ଫ୍ଲୁ ସଂକ୍ରମିତ  କୁକୁଡ଼ାକୁ ମାରି ମାଟି ତଳେ ପୋତାଯାଇଛି ।  ପ୍ରାୟ ୪ ହଜାର ଅଧିକ କୁକୁଡ଼ା ମରାଯାଇଥିବା ସୂଚନା ମିଳିଛି । 

ସଂକ୍ରମିତ କୁକୁଡ଼ା ଫାର୍ମ ଅଞ୍ଚଳର ୧କିମି  ପରିଧି ମଧ୍ୟରେ ରହିଥିବା ଅନ୍ୟ କୁକୁଡ଼ା  ଫାର୍ମଗୁଡିକରୁ ସମସ୍ତ କୁକୁଡ଼ାକୁ ମରାଯାଇ  ପୋତାଯିବା ପରେ ସମସ୍ତ ଫାର୍ମ ଗୁଡ଼ିକୁ ସଫେଇ  ଓ ପରେ ବିଶୋଧିତ କରାଯିବ । ଏହି କାମ ପାଇଁ  ନିୟୋଜିତ ୧୪ଟି ଟିମ୍‌ରୁ ୬ଟି ଲେଖାଏଁ ଟିମ୍‌ ବାଲେଶ୍ୱର ଓ ମୟୂରଭଞ୍ଜରୁ ଆସିଛନ୍ତି ।  ପ୍ରତି ଟିମ୍‌ରେ ଜଣେ ଲେଖାଏଁ ଭେଟନାରି ଅଫିସର,  ୨ଜଣ ଏଲ୍‌ଆଇ ଓ ଜଣେ ଲେଖାଏଁ ଆଟେଣ୍ଡାଣ୍ଟ୍‌  ଅଛନ୍ତି । ଉକ୍ତ ୧୨ଟି ଟିମ୍‌ କେନ୍ଦ୍ରାପଡ଼ାରେ  ପହଞ୍ଚିଯାଇଥିବାବେଳ ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କ  ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏଥିପାଇଁ ଦୈନିକ କୁକୁଡ଼ା  ମରା ଅଭିଯାନକୁ ଯିବା ପୂର୍ବରୁ ସେମାନଙ୍କୁ ଟାମି ଫ୍ଲୁୂ  ଟାବ୍‌ଲେଟ ଦିଆଯିବ । ଫଳରେ ସେମାନଙ୍କର ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି ପାଇବ । ଆସନ୍ତା ୨ଦିନ  ମଧ୍ୟରେ ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ  ଶେଷ କରାଯିବାକୁ ଲକ୍ଷ୍ୟ ରହିଛି। 

ଏଣ୍ଡରର ୮ଟି ଗ୍ରାମ  ଓ ବାଲିଆର ୧୪ଟି ଗ୍ରାମ ଓ ଗୋଲରାହାଟ ପଞ୍ଚାୟତରେ  ଥିବା ୭୦ଟି ଫାର୍ମରେ କୁକୁଡ଼ା ମରାଯିବାକୁ ବିଭାଗ ଯୋଜନା ରଖିଛି । ବାଲିଆ ପଞ୍ଚାୟତରେ ୫୭ଟି ଓ ଏଣ୍ଡର ପଞ୍ଚାୟତରେ ୫୮ଟି ଫାର୍ମ ଥିବାବେଳେ ଯେଉଁ  ଫାର୍ମରେ କୁକୁଡ଼ା ଅଛି ସେଠାରେ ମରାଯିବ । କ୍ଷତିଗ୍ରସ୍ତ  ଚାଷୀଙ୍କୁ କ୍ଷତିପୂରଣ ପାଇଁବ୍ୟବସ୍ଥା ରହିଛି ।  ଅନ୍ୟପକ୍ଷେ ଆଜି କେନ୍ଦ୍ରାପଡ଼ା ପୌରପାଳିକାରେ  କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ଓ ଖାଇବା ଉପରେ  କଟକଣା ଜାରି କରାଯାଇଛି । 

ଏଥିପାଇଁ  ସହରାଞ୍ଚଳରେ ପ୍ରଚାର ଗାଡ଼ି ବୁଲି ଅଞ୍ଚଳବାସୀଙ୍କୁ ସଚେତନ କରାଇଛି । କୁକୁଡ଼ା ମାଂସ ଓ ଅଣ୍ଡା  ଖାଇବାକୁ ବାରଣ କରାଯିବା ସହ ଏହାର ବିକ୍ରି ନିଷେଧ  କରାଯାଇଛି । ପ୍ରଶାସନର ନିର୍ଦ୍ଦେଶ ସତ୍ତେ୍ୱ ଚିକେନ୍‌  ଓ ଅଣ୍ଡା ବିକ୍ରି ହେଉଥିବାରୁ ନଜର ଆସିଲେ ସମ୍ପୃକ୍ତ  ବ୍ୟବସାୟୀଙ୍କ ବିରୋଧରେ ଆଇନତଗତ କାର୍ଯ୍ୟାନୁଷ୍ଠାନ  ହେବ ବୋଲି ସୂଚାଇ ଦିଆଯାଇଛି ।  

ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀଙ୍କ କହିବା  କଥା, କୁକୁଡ଼ା ମରା ଯେତେ ଶୀଘ୍ର ସରିଲେ, ବାର୍ଡ  ଫ୍ଲୁ ଭୂତାଣୁ ନାଶ କରାଯାଇପାରିବ । ଏଥିପାଇଁ ପ୍ରକ୍ରିୟା  ଆରମ୍ଭ ହୋଇଯାଇଛି । ଆସନ୍ତା ଦିନେ ଅବା ଦୁଇଦିନରେ  ଏହା ଶେଷ ହୋଇଯିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ  ପକ୍ଷରୁ ଧାର୍ଯ୍ୟ ସହାୟତା ରାଶି ଯୋଗାଇ ଦିଆଯିବ । ୮  ସପ୍ତାହରୁ ଅଧିକ କୁକୁଡ଼ା ପିଛା ୯୦ ଟଙ୍କା, ୬ ସପ୍ତାହରୁ  ଅଧିକ କୁକୁଡ଼ା ପାଇଁ ପାଇଁ ୭୦ ଟଙ୍କା, କୁକୁଡ଼ା ଚିଆଁ  ପିଛା ୨୦ ଟଙ୍କା, ଅଣ୍ଡା ପିଛା ୩ଟଙ୍କା ଓ ଖାଦ୍ୟ କିଲୋ  ପିଛା ୧୪ ଟଙ୍କା ପ୍ରଦାନ କରାଯିବ । ଏହି କୁକୁଡ଼ା ମରା ଅଭିଯାନରେ  ପ୍ରାଣୀଧନ ବିଭାଗର ଡା. ବିବେକାନନ୍ଦ ସାହୁ, ଡା.  ସୁଧାଂଶୁ ଶେଖର ମଣ୍ଡଳ, ଡା. ଦିଲ୍ଲୀପ ସେଠୀ,  ଫୁଲନଖରା ସ୍ଥିତ ପ୍ରାଣୀଧନ ବିଭାଗ ଗବେଷଣାଗାରର ବିଶେଷଜ୍ଞ ଡା. ପାର୍ଥସାରଥି ଓ ଜ୍ୟୋତିରଞ୍ଜନ ବିଶ୍ୱଳ ଓ  କର୍ମଚାରୀ ଜ୍ୟୋତିରଞ୍ଜନ ଜେନାଙ୍କ ସମେତ ଗରଦପୁର  ଓ ପଟ୍ଟାମୁଣ୍ଡାଇ ବ୍ଲକ୍‌ ପ୍ରାଣୀଧନ ବିଭାଗୀୟ ଟିମ୍‌ ସାମିଲ  ଥିଲେ । 

Exit mobile version