Site icon ଆଜିକାଲି

୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ୯ରୁ ସଦସ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର : ଦୀର୍ଘ ୨୪ବର୍ଷ ପରେ ପ୍ରଥମଥର ପାଇଁ ବିରୋଧୀ ଦଳ ଭାବେ ବିଜେଡି ନିଜର ଜନସମ୍ପର୍କ ପଦଯାତ୍ରା କରିବ । ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ୨ଟି ପର୍ଯ୍ୟାୟରେ ଦଳର ଏହି ଜନସମ୍ପର୍କ ପଦଯାତ୍ରା ଚାଳିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା ମିଳିତ ଭାବେ ସୂଚନା ଦେଇ କହିଥିଲେ ଯେ, ଦଳର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ ହୋଇଛି । ବିଭିନ୍ନ କମିଟି ସଦସ୍ୟଙ୍କ ସହ ଜିଲ୍ଲା ସଭାପତିମାନଙ୍କର ବୈଠକରେ ଆସନ୍ତା ଗାନ୍ଧି ଜୟନ୍ତୀରୁ ଦଳର ଜନସମ୍ପର୍କ ପଦଯାତ୍ରା ସମ୍ପର୍କରେ ଆଲୋଚନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ରୁ ୬ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୧ରୁ ୩୦ତାରିଖ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଚାଲିବ । ଜନସମ୍ପର୍କ ପଦଯାତ୍ରାରେ ଦଳର ନେତାମାନଙ୍କୁ ଗାଁକୁ ଯାଇ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାକୁ କୁହାଯାଇଛି ।ସେହିପରି ଆସନ୍ତା ଅକ୍ଟୋବର ୯ତାରିଖ ଗୋପବନ୍ଧୁ ଜୟନ୍ତୀରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଦୁଇମାସ ଧରି ଏହି ସଦସ୍ୟତା ଅଭିଯାନ ଚାଲିବ । ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆଲୋଚନା ହୋଇଛି । ସଭ୍ୟ ସଂଗ୍ରହ ଅଭିଯାନରେ ଯୁବବର୍ଗଙ୍କୁ ଗୁରୁତ୍ୱ ମିଳିବ ।

Exit mobile version