Site icon ଆଜିକାଲି

ବିଜେଡିର ପଦଯାତ୍ରା ପ୍ରସ୍ତୁତି : ଆଜିଠୁ ଭୁବନେଶ୍ୱରରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ବିଜେଡିର ପଦଯାତ୍ରା ପାଇଁ ପ୍ରସ୍ତୁତି । ଆଜି ଓ ଆସନ୍ତାକାଲି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ବିଜେଡିର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହେଉଛି ।

ଆଜିର ପ୍ରଶିକ୍ଷଣ ଶିବିରରେ ଯୁବ, ମହିଳା ଓ ଛାତ୍ର ବିଜେଡିର ରାଜ୍ୟ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା, ବ୍ଲକ୍‍, ଜୋନ୍‍, ମ୍ୟୁନିସିପାଲିଟିର ସଭାପତି, ସାଂସଦ, ବିଧାୟକ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଓ କଟକ କଲେଜ କ୍ୟାମ୍ପସ୍‍ କମିଟିର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହିବେ। ପଦଯାତ୍ରା କିପରି ହେବ ତାହାର ସବିଶେଷ ସୂଚନା ପ୍ରଦାନ କରାଯିବ। ଆସନ୍ତାକାଲି ଜିଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟ, ବିଏମ୍‍ସି ମେୟର, ଡେପୁଟି ମେୟର, କର୍ପୋରେଟରଙ୍କ ସହ ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀ, ରାଜ୍ୟ କର୍ମକର୍ତ୍ତା ଯୋଗଦେବେ। ଚଳିତ ବର୍ଷ ପୌର ଓ ପଞ୍ଚାୟତ ନିର୍ବାଚନ ହୋଇଥିବାବେଳେ ଦଳ ପକ୍ଷରୁ ଛାମୁଆ ସଂଗଠନର ପୁନର୍ଗଠନ କରାଯାଇଛି। ତେଣୁ ସେମାନଙ୍କୁ ଦଳର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯିବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ ହେବ ଏବଂ ନଭେମ୍ବର ୨ ତାରିଖ ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ସେବା ମନୋବୃତ୍ତି ପାଇଁ ସମସ୍ତେ ଶପଥ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Exit mobile version