Site icon ଆଜିକାଲି

ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା । କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଗାନ୍ଧୀ ଜୟନ୍ତୀରେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଏହି ପଦଯାତ୍ରା ଆରମ୍ଭ ହେବ । ନଭେମ୍ବର ୨ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’ ଚାଲିବ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯାତ୍ରା ଆରମ୍ଭ ହେବ । ଏହାସହ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାକୁ ବିଜେଡି ସୁପ୍ରିମୋ ଦଳୀୟ କର୍ମକର୍ତ୍ତାଙ୍କୁ ବାର୍ତ୍ତା ଦେବେ । ଏନେଇ ଗତ ୨୯ ଓ ୩୦ ତାରିଖ ଧରି ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା ।

ସମସ୍ତ ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲା ସଭାପତି, ରାଜ୍ୟ ସଭାପତି ଏବଂ ବ୍ଲକ ଓ ନଗର ସଭାପତିଙ୍କ ସହ ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବିଜୁ ଜନତା ଦଳ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ ଓଡ଼ିଶାର ଜନସାଧାରଣଙ୍କ ସହିତ ପାଳନ କରିବ । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ’ ଏବଂ ‘ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର ୯ ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ’ ଏବଂ ଅକ୍ଟୋବର ୧୧ ତାରିଖରେ ‘ଲୋକନାୟକ ଜୟପ୍ରକାଶ ଜୟନ୍ତୀ’ ପାଳନ ହେବ । ଏ ବର୍ଷର ‘ଜନ ସମ୍ପର୍କ ପଦଯାତ୍ରା’ ଜିଲ୍ଲା ସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ ।

ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡ଼ରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ, ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ ବିଧାକୟ ପ୍ରାର୍ଥୀ ଏବଂ ଜିଲ୍ଲାସ୍ତରରେ ସମ୍ପୃକ୍ତ ଜିଲ୍ଲା ସଭାପତି ଉପସ୍ଥିତ ରହି ଜନସଂପର୍କ ପଦଯାତ୍ରାକୁ ପୂର୍ବ ପ୍ରାଣରେ ସଫଳ କରାଇବେ । ଦଳର ମହିଳା, ଯୁବ ଏବଂ ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ଶାଖା ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ତରରେ ଏହି ‘ଜନସମ୍ପର୍କ ପଦଯାତ୍ରା’ରେ ଯୋଗ ଦେବେ ।

Exit mobile version