କେନ୍ଦୁଝର, କେନ୍ଦୁଝରଗଡ ପୌରପାଳିକା ସହରବାସୀଙ୍କୁ ସର୍ବନିମ୍ନ ସୁବିଧା ମିଳୁନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛି ବିଜେପି । ପୌରପାଳିକା ହଲଡିଂ ଟ୍ୟାକ୍ସ, ୟୁର୍ଜର ଫି ବାବଦ କୋଟି କୋଟି ଟଙ୍କା ଆଦାୟ କରୁଥିବାବେଳେ ସହରବାସୀଙ୍କୁ ମୌଳିକ ସବୁିଧା ସୁଯୋଗ ମିଳୁନାହଁ । ୨୧ ୱାର୍ଡ ବିଶିଷ୍ଟ ଏହି ପୌରପାଳିକାରେ ଲୋକଙ୍କ ପ୍ରକୃତ ସମସ୍ୟା ସମାଧାନ ହେଉ ନ ଥିବାବେଳେ କୋଟି କୋଟି ଟଙ୍କା ସୌନ୍ଦର୍ଯ୍ୟକରଣ ନାମରେ ପାର୍କ,ପୋଖରୀ ଉନ୍ନତିକରଣ ନାମରେ ଖର୍ଚ୍ଚ ହେଉଛି । ପୋରାଞ୍ଚଳ ମାଷ୍ଟରପ୍ଲାନ ଅର୍ନ୍ତଭୂକ୍ତ ହୋଇଥିଲେ ହେଁ ପ୍ଲାନ ଅନୁଯାୟୀ ଗୃହ, ରାସ୍ତାଘାଟ, ଲାଇଟ, ଡ୍ରେନେଜ ଆଦି କରାଯାଇ ନ ଥିବାରୁ ସମସ୍ୟା ବହୁଗୁଣା ବଢିଯାଇଛି । ୱାର୍ଡରେ ରାସ୍ତା ଘାଟ ସମସ୍ୟା ସହିତ ଡ୍ରେନେଜ ସମସ୍ୟା ସର୍ବାଗ୍ରେ ରହିଛି । ମାଷ୍ଟରପ୍ଲାନ ଅନୁଯାୟୀ କାମ ହେଉ ନଥିବାରୁ ଅଣ ଓସାରିଆ ରାସ୍ତାରେ ଲୋକମାନେ ଯାତାୟତ କରୁଛନ୍ତି । ଏହି କାରଣରୁ ଅନେକ ସାହିରେ ଜରୁରୀକାଳୀନ ଆମ୍ଭୁଲାନ୍ସ,ଦମକଳ ଗାଡି,ସେସପୁଲ,ପାଣି ଟ୍ୟାଙ୍କର,ସ୍କୁଲ ଭ୍ୟାନ,ଗ୍ୟାସ ନେବା ଆଣିବା କରୁଥିବା ଗାଡି ଆଦି ପ୍ରବେଶ କରି ପାରୁନାହିଁ । ଏ ନେଇ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଏକ ଟିମ ପୌର ନିର୍ବାହୀ ଅଧିକାରୀଙ୍କୁ ଆଜି ଭେଟି ଏହାର ତୁରନ୍ତ ସମାଧାନ କରିବାକୁ ଦାବୀ କରିଛନ୍ତି । ପୌର ନିର୍ବାହୀ ଅଧିକାରୀଙ୍କ ଅପାରଗତା ଯୋଗୁଁ ଏଭଳି ସମସ୍ୟା ସହରବାସୀଙ୍କୁ ଭୋଗିବାକୁ ପଡୁଛି ବୋଲି ଶ୍ରୀ ମହାନ୍ତ ଅଭିଯୋଗ କରିଛନ୍ତି । ବେଆଇନ ଜବର ଦଖଲକାରୀଙ୍କୁ ନୋଟିସ ହେଉଛି କିନ୍ତୁ ମାସ ମାସ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଶ୍ରୀ ମହାନ୍ତ ଅଭିଯୋଗ କରିଛନ୍ତି । ବିଲ୍ଡିଂ ପ୍ଲାନ ନ ଥାଇ ଏବଂ ପାର୍କିଂ ନ ଥାଇ ବହୁ ବ୍ୟବସାୟିକ ଅଟ୍ଟାଳିକା ନିର୍ମାଣ ହୋଇଥିଲେ ହେଁ ପୌରପାଳିକା ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ । ପୌର ନିର୍ବାହୀ ଅଧିକାରୀଙ୍କ ନିଷ୍କ୍ରିୟତା ଏବଂ ସ୍ୱେଚ୍ଛାଚାରିତା ପାଇଁ ସହରବାସୀ ହିନସ୍ତା ହେଉଛନ୍ତିି । ଠାକୁରଙ୍କ ଜମିରେ ବେଆଇନ ନିର୍ମାଣ ହେଉଛି । ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ କରିବା ପରିବର୍ତ୍ତେ ଠାକୁର ଙ୍କ ଜିମରେ ରାସ୍ତା ଓ ଅନ୍ୟାନ୍ୟ ସୁବିଧା ଦେଇ ପରୋକ୍ଷରେ ଥଇଥାନ କରାଯାଉଛି । ସହରରେ ବହୁ ସଂଖ୍ୟାରେ ମାର୍କେଟ କଂପ୍ଲେକ୍ସ ପ୍ଲାନ ଉଲ୍ଲଙ୍ଗନ ହୋଇ ନିର୍ମାଣ କରାଯାଇଥିବାବେଳେ ସଠିକ୍ ପାର୍କିଂ ବ୍ୟବସ୍ଥା ନଥିବାରୁ ଟ୍ରାଫିକ ସମସ୍ୟା ଉତ୍କଟ ହୋଇଛି । ସରକାରୀ ଜମିରେ ଲୋକମାନେ ଦୋକାନ ଘର କରି ଭଡା ଦେଇ ଲାଭବାନ ହେଉଥିବାବେଳେ ପୌରପାଳିକା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ରହୁଛି । ବିଶେଷ କରି ଏହି କାରଣରୁ ଟ୍ରାଫିକ ଜାମ ନୀତିଦିନିଆ ଘଟଣାରେ ପରିଣତ ହୋଇଛି । ବରିଷ୍ଠ ନାଗରିକମାନେ ଏ ବାବଦରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା ବିଚାରକୁ ନିଆଯାଉନାହିଁ । ସେହିପରି ଡ୍ରେନେଜ ସୁବିଧା ନଥିବାରୁ ବର୍ଷା ହେଲେ ଅନେକ ସାହି ଜଳମଗ୍ନ ହୋଇଯାଉଛି ଏବଂ ଯାତାୟତରେ ବ୍ୟାଘାତ ହେଉଛି । ବିଲଡିଙ୍ଗ ପ୍ଲାନ ଅନୁମୋଦନ ପୂର୍ବରୁ ସଠିକ୍ ଯାଂଚ ହେଉନଥିବାରୁ ସହର ର ଅନେକ ୱାର୍ଡରେ ରାସ୍ତା ଏବଂ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଛି । କେତେକ ଦୂର୍ନିତୀଗସ୍ତ କର୍ମଚାରୀ ମୋଟା ଅଙ୍କର ଲାଂଚ ନେଇ ପ୍ଲାନ ଅନୁମୋଦନ କରୁଥିବା ଏବଂ ଯାଂଚ କରୁନଥିବା ବିଜେପି ତରଫରୁ ଅଭିଯୋଗ କରାଯାଇଛି । ଅନ୍ୟତମ ପ୍ରମୁଖ ସମସ୍ୟା ହେଉଛି ମଇଳା ଆବର୍ଜନ ପରିଚାଳନା । ସଠିକ୍ ଭାବରେ ୱାର୍ଡ ସଫେଇ ହେଉନଥିବାବେଳେ ଅନେକ ସ୍ଥାନରେ କୁଢକୁଢ ମଇଳା ଜମା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଫଳରେ ବର୍ଜ୍ୟବସ୍ତୁ ପରିଚାଳନା ସଠିକ୍ ଭାବରେ ହୋଇପାରୁନାହିଁ । ଚାରିଆଡେ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି କରିବା ସହ ମଶାମାଛିଙ୍କ ଆଶ୍ରୟସ୍ଥଳ ପାଲଟିଛି । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଡମ୍ପିଂୟାର୍ଡ ପାଇଁ ଅଦ୍ୟାବଧି ସ୍ଥାନ ଚିହ୍ନଟ କରିବାରେ ବିଭାଗ ଫେଲ ମାରିଛି । ବିନା ଟ୍ରେଡ ଲାଇସେନ୍ସ ଏବଂ ବିନା ପ୍ଲାନରେ ବହୁ ବ୍ୟବସାୟିକ ସଂସ୍ଥା,ସ୍କ୍ରାପ ବ୍ୟବସାୟ,ହୋଟେଲ ଚାଲିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଏବଂ କେତେକ କ୍ଷେତ୍ରରେ ବର୍ଷ ବର୍ଷ ସମୟ ଗଡାଇ ବେଆଇନ କାମକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ବିଜେପି ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି । ସେହିପରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପଯୁକ୍ତ ତଦାରଖ ଅଭାବରୁ ରାସ୍ତା ନିର୍ମାଣ ହେବାର କିଛି ବର୍ଷ ପରେ ସଂପୂର୍ଣର୍ ନଷ୍ଟ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡୁଛି । ଗତ ୪ ବର୍ଷରେ ହୋଇଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ଯାଂଚ କରିବାକୁ ସେ ଦାବୀ କରିଛନ୍ତି । କେନ୍ଦୁଝର ପୁରୁଣା ସହର ରେ ୭କୋଟି ଟଙ୍କାର ବସଷ୍ଟାଣ୍ଡ ଯାତ୍ରୀଙ୍କ କାମରେ ଲାଗୁନାହିଁ । ପୌରପାଳିକାର ଆନ୍ତରିକତା ଅଭାବରୁ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଫଳରେ ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ସୃ୍ଷ୍ଟି କରୁଛି । ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସାଟିଫିକେଟ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରାଯାଉଛି । କିନ୍ତୁ ସଠିକ୍ ସମୟରେ ପ୍ରମାଣପତ୍ର ପୌରପାଳିକା ପକ୍ଷରୁ ମିଳୁନାହିଁ । ଅଧିକାରୀମାନେ ବିଳମ୍ବର କାରଣ ର ତଦାରଖ କରୁନଥିବାରୁ ଲୋକମାନେ ହିନସ୍ତା ହେଉଛନ୍ତି । ପୌରପାଳିକା ଅଫିସକୁ ହାତଗୁଞ୍ଜା ଦେଇ ଲୋକ କାମ ଆଦାୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଶାସକ ଦଳ କୁ ସୁହାଇଲା ଭଳି ପୌର ନିର୍ବାହୀ ଅଧିକାରୀ କାର୍ଯ୍ୟ କରୁଥିବା ଏବଂ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ବିଜେପି ଅଭିଯୋଗ କରିଛି । ସେହିପରି ଭେଣ୍ଡିଙ୍ଗ ଜୋନ ନିର୍ମାଣ ଓ ବଣ୍ଟନରେ ବ୍ୟାପକ ପିସି କାରବାର ହେଉଥିବାରୁ ବହୁ ଭେଣ୍ଡି ଜୋନ କାମରେ ଲାଗି ପାରୁନାହିଁ ଓ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇ ନଷ୍ଟ ହେବାକୁ ବସିଛି । ଏପରିକି ନିର୍ବାଚିତ ପ୍ରତିନିଧି କାଉନସିଲର ମାନଙ୍କୁ ଅଣଦେଖା କରୁଛନ୍ତି ଫଳରେ ବିକାଶ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ବିଜେପି କହିଛି । ବିଜେପି ର ଏହି ଟିମରେ ଜିଲ୍ଳା ସଭାପତିଙ୍କ ସମେତ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା,ଜିଲ୍ଲା ସମ୍ପାଦକ ଦୀପକ ଜେନା,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ ସିଂ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସବୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।