Site icon ଆଜିକାଲି

ଆଜିଠୁ ଜୋରଦାର ପ୍ରଚାର କରିବ ବିଜେପି : ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ୨ ଦିନ ପଦଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ/ଭୁବନେଶ୍ୱର : ଆଜି ଧାମନଗର ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଅକ୍ଟୋବର ୨୮ ଓ ୨୯ତାରିଖ ଦୁଇ ଦିନ ଧାମନଗରରେ ଘରକୁ ଘର ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହିତ ସାଧାରଣ ଲୋକଙ୍କୁ ବିଜେପି ପାଇଁ ସମର୍ଥନ ଲୋଡିବେ ବୋଲି ଗୁରୁବାର ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଆଗାମୀ ଦିନମାନଙ୍କରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ ଓ ଅନ୍ୟ ବରିଷ୍ଠ ନେତାମାନେ ପ୍ରଚାରରେ ଆସିବେ ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଯାଜପୁର ଜିଲାର ବିଜୁ ଜନତା ଦଳର ଯେଉଁ ନେତାମାନେ ଚକ୍ରାନ୍ତ କରି ଭଦ୍ରକରେ ହେବାକୁ ଥିବା ମେଡିକାଲ କଲେଜକୁ ଯାଜପୁରକୁ ନେଇ ଯାଇଥିଲେ ଆଜି ସେହି ନେତାମାନେ ଧାମନଗରରେ ବିଜୁ ଜନତା ଦଳର ନିର୍ବାଚନ ପରିଚାଳନା କରୁଛନ୍ତି । ସେହିଭଳି ବୈତରଣୀରେ ଭଦ୍ରକବାସୀଙ୍କୁ ବନ୍ୟା ମୁହଁକୁ ଠେଲି ଦେଇ ଯାଜପୁର ଜିଲ୍ଲାର ନଦୀବନ୍ଧକୁ ସଶକ୍ତ କରିଥିବା ବିଜେଡି ନେତାମାନଙ୍କୁ ଏବେ ଧାମନଗରବାସୀ ଉଚିତ୍ ଜବାବ ଦେବେ ।

କାଂପଡା ପଂଚାୟତରେ ବିଜେଡି ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଲୋକମାନେ ଡାଲିଚୋର କହିଥିବା ପ୍ରସଙ୍ଗରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତରରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବିଜୁ ଜନତା ଦଳ ଭାବିଥିଲା ଲୋକମାନେ ପ୍ରମିଳା ମଲ୍ଲିକଙ୍କର ଦୁର୍ନୀତିକୁ ବୋଧହୁଏ ଭୁଲିଗଲେଣି । ଯେଉଁ ମୁଖ୍ୟମନ୍ତ୍ରୀ ଦିନେ ପ୍ରମିଳା ମଲ୍ଲିକଙ୍କୁ ଦୁର୍ନୀତି ଅଭିଯୋଗରେ ସରକାରରୁ ବାହାର କରିଥିଲେ ଆଜି ସେହି ମୁଖ୍ୟମନ୍ତ୍ରୀ ପୁଣି ତାଙ୍କୁ ମନ୍ତ୍ରୀ କରି ଧାମନଗର ଉପନିର୍ବାଚନ ପ୍ରଚାରର ଦାୟିତ୍ୱ ଦେଇଛନ୍ତି । ଯେଉଁ ପ୍ରମିଳା ମଲ୍ଲିକ ଦିନେ ଛୋଟ ଶିଶୁମାନଙ୍କର ଡାଲିକୁ ହଡପ କରି ନିମ୍ନମାନର ଡାଲି ଯୋଗାଇ ଓଡିଶାର ଶିଶୁମାନଙ୍କୁ ରୋଗଗ୍ରସ୍ତ କରାଇଥିଲେ ସେଭଳି ନେତ୍ରୀଙ୍କୁ ଧାମନଗରର ସଚେତନ ନାଗରିକମାନେ ସହିବେ କେମିତି? ଆଜି ଧାମନଗର ଉପନିର୍ବାଚନରେ ଦୁର୍ନୀତିକୁ କେବଳ ବିଜେପି ନୁହେଁ ବଂର ସାଧାରଣ ଲୋକମାନେ ଏକ ପ୍ରସଙ୍ଗ କରିସାରିଛନ୍ତି ।

ଜଣେ ସରକାରୀ କର୍ମଚାରୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ବିଜୁ ଜନତା ଦଳ ସପକ୍ଷରେ ଭୋଟ ଦେବା ପାଇଁ ଟଙ୍କା ବାଂଟୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲା । ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଏହି ପ୍ରସଙ୍ଗରେ ଏହାର ପ୍ରମାଣ ଲୋଡିଥିଲେ । ପରେ ଭାରତୀୟ ଜନତା ପାର୍ଟି ତରଫରୁ ଏହାର ପ୍ରମାଣ ଦିଆଯାଇଥିଲା । ଯାହାଫଳରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟଙ୍କା ବାଂଟୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁକରିବା ପାଇଁ ପଡିଥିଲା । ହେଲେ କାହିଁକି ଜିଲ୍ଲାପାଳ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ନିଲମ୍ବନ କରୁନାହାନ୍ତି ତାହା ଏକ ବଡ ପ୍ରଶ୍ନ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Exit mobile version