Site icon ଆଜିକାଲି

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପିର ୩ ଦିନିଆ ଆନ୍ଦୋଳନ ଆଜିଠୁ

ଭୁବନେଶ୍ୱର : ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁର ତଦନ୍ତ ବାଟବଣା ପ୍ରତିବାଦରେ ଚଳିତ ମାସ ୧୪, ୧୫, ୧୬ ରେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ମଙ୍ଗଳବାର ରାଜଧାନୀର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ୧୫ ତାରିଖ ଦିନ ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ । ସେହିପରି ୧୬ତାରିଖ ଦିନ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବୀ କରି ପାଇଁ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ରାଜ୍ୟରେ ସାଇବର କ୍ରାଇମ, ଶିଶୁ ଅପହରଣ, ଲୁଟ୍‌, ଧର୍ଷଣ ଓ ହତ୍ୟା ଭଳି ଅପରାଧ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଜାତୀୟ ସ୍ତରରେ ଓଡିଶାର ସ୍ଥାନ ସର୍ବାଗ୍ରେ ରହିଥିବାର ଏନସିଆରବି ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଛି । ଏପରିକି ବିଧାନସଭାରେ ମଧ୍ୟ ରାଜ୍ୟ ସରକାର ନିଜେ ସ୍ୱୀକାର କରିଛନ୍ତି । ୨୩ ବର୍ଷ ଧରି ଓଡ଼ିଶାର ଗୃହମନ୍ତ୍ରୀ ଦାୟୀତ୍ୱରେ ଥିବା ସ୍ୱୟଂ ମୁଖ୍ୟମନ୍ତ୍ରୀ ନିଜ ନୈତିକତା ହରାଇଛନ୍ତି । ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ନିଜ ପଦରୁ ଓହରି ଯିବା ଉଚିତ୍ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

Exit mobile version