Site icon ଆଜିକାଲି

ଚୋରଙ୍କୁ ନୁହେଁ, ଉତ୍ତମ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଚୋରଙ୍କୁ ନୁହେଁ, ବରଂ ଉତ୍ତମ ପ୍ରାର୍ଥୀଙ୍କୁ ଆପଣମାନେ ଆଶୀର୍ବାଦ କରନ୍ତୁ । ସେମାନେ ଆପଣଙ୍କ ସେବା କରିବେ ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି। ବିକାଶ ପାଇଁ ତାଙ୍କୁ ଓ ବିଜେଡି ପ୍ରାର୍ଥୀଙ୍କୁ ଲୋକେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ ବୋଲି ସେ କହିଛନ୍ତି। ଗୁରୁବାର ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିଷି, ଆସିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆସିକା ଓ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ପ୍ରଚାର ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଲୋକଙ୍କ ସମର୍ଥନ ଓ ଆଶୀର୍ବାଦ ଲୋଡ଼ିଛନ୍ତି। ତାଙ୍କ ସହ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପ୍ରଚାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଓ ବରିଷ୍ଠ ନେତା ପାଣ୍ଡିଆନ ଉପରୋକ୍ତ ତିନିଟି ସ୍ଥାନରେ ବିଶାଳ ଜନସଭାରେ ଯୋଗ ଦେଇଥିଲେ। କନିଷି ଠାରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଏଥି ଅନ୍ତର୍ଗତ ଜିଲ୍ଲାର ୫ ବିଧାନସଭା ଆସନର ପ୍ରାର୍ଥୀ ବିକ୍ରମ ପଣ୍ଡା, ଆସିକା ଠାରେ ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ ୭ ବିଧାନସଭା ପ୍ରାର୍ଥୀ, ଫୁଲବାଣୀ ଠାରେ କନ୍ଧମାଳ ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଏଥି ଅନ୍ତର୍ଗତ ବିଧାନସଭା ଆସନ ଗୁଡ଼ିକର ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ଲୋଡ଼ିଥିଲେ। ଏସବୁ ସଭାରେ ସମ୍ପୃକ୍ତ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ପ୍ରାର୍ଥୀମାନେ ମଧ୍ୟ ମଞ୍ଚାସୀନ ଥିଲେ।

ସଭାମାନଙ୍କରେ ଉଦ୍‌ବୋଧନ ଦେଇ ପାଣ୍ଡିଆନ କହିଛନ୍ତି ଯେ- ସମାବେଶରେ ଏତେ ବିପୁଳ ଜନସମାଗମ ହିଁ ପ୍ରମାଣ କରୁଛି ଯେ ଲୋକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କେତେ ସ୍ନେହ ଓ ସଦିଚ୍ଛା ରହିଛି। ଏହା ଏକ ଭଲ ବାର୍ତ୍ତା ଦେଉଛି। ରାଜ୍ୟରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ୯୦ ପ୍ରତିଶତରୁ ଅଧିକ ଜନସମର୍ଥନ ପାଇବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ହର୍ଷୋଲ୍ଲାସରେ ଥିବା ଲୋକଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ- ଆପଣଙ୍କ ଆଶୀର୍ବାଦ ଓ କଠିନ ପରିଶ୍ରମ ଏହାକୁ ଶତପ୍ରତିଶତ କରିପାରିବ। ବିରୋଧୀମାନଙ୍କୁ କଟାକ୍ଷ କରି ପାଣ୍ଡିଆନ କହିଛନ୍ତି ଯେ- ବିରୋଧୀ ଦଳଗୁଡ଼ିକ କେବଳ ୫ ବର୍ଷକୁ ଥରେ ସେମାନଙ୍କ ଇସ୍ତାହାର ଆଣିଥାନ୍ତି। ୨୦୧୪ରେ ବିଜେପି ଏକ ଇସ୍ତାହାର ଆଣିଥିଲା ଯେଉଁଥିରେ ଦୁଇ କୋଟି ନିଯୁକ୍ତି, ଦରହ୍ରାସ ଆଦି ଅନେକ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଓଡ଼ିଶାରେ ସେମାନଙ୍କ ଲକ୍ଷ୍ୟ ୧୨୦ ସିଟ୍ ବଦଳରେ ୨୦ରୁ ମଧ୍ୟ କମ୍ ଆସନ ପାଇଥିଲେ। ୨୦୧୯ରେ ସେମାନେ ପୁଣି ଅନେକ ମିଥ୍ୟା ପ୍ରତିଶ୍ରୁତିଭରା ଇସ୍ତାହାର ଆଣିଥିଲେ। ସେମାନେ ମାତ୍ର ୨୦ଟି ସିଟ୍ ପାଇଥିଲେ। ଏଥର ମଧ୍ୟ ସେମାନେ ଏକ ଇସ୍ତାହାର ଆଣିଛନ୍ତି। ଓଡ଼ିଶାବାସୀ ସେମାନଙ୍କ ମିଥ୍ୟା କଥାରେ ବିଶ୍ଵାସ କରନ୍ତି ନାହିଁ। ଆଜି ସନ୍ଧ୍ୟାରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏଭଳି ଏକ ଇସ୍ତାହାର ଆଣିବେ ଯାହା ଆପଣଙ୍କୁ ଖୁସି ପ୍ରଦାନ କରିବ। ସାରା ଓଡ଼ିଶା ବିଜେଡି ଇସ୍ତାହାରରେ ଆନନ୍ଦିତ ହେବ। ମୁଁ ବିଜୁ ପରିବାରର ସଦସ୍ୟମାନଙ୍କୁ ଅନୁରୋଧ କରୁଛି ଯେ- ସେମାନେ ଏହି ଇସ୍ତାହାରକୁ ରାଜ୍ୟର କୋଣ ଅନୁକୋଣରେ ଥିବା ଘରେ ଘରେ ପହଞ୍ଚାନ୍ତୁ। ଦୟା କରି ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚାନ୍ତୁ। ଆମ ମୁଖ୍ୟମନ୍ତ୍ରୀ କମ୍ କହନ୍ତି, ଅଧିକ କାମ କରନ୍ତି। ଇସ୍ତାହାରର ଲେଖା ଠାରୁ ମଧ୍ୟ ଅଧିକ କାମ ସେ କରିଥାନ୍ତି। ସେଥିପାଇଁ ରାଜ୍ୟବାସୀ ତାଙ୍କୁ ସମ୍ମାନ, ଶ୍ରଦ୍ଧା କରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ- ବିରୋଧୀ ଦଳ ଯାହା ନିଜକୁ ସବୁଠୁ ବଡ଼ ରାଜନୈତିକ ଦଳ ବୋଲି ଦର୍ଶାଉଛି ସେହି ଦଳ ଗତ ୨୪ ବର୍ଷ ହେଲାଣି ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଉପସ୍ଥାପନ କରିପାରୁନି। କରିପାରିବ ନାହିଁ ମଧ୍ୟ କାରଣ ସେମାନେ ସେଥିପାଇଁ ଡରୁଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଦିଅନ୍ତି ତେବେ ସେମାନଙ୍କ ସିଟ୍ ସଂଖ୍ୟା ୧୦ରୁ ମଧ୍ୟ କମିଯିବ ବୋଲି ପାଣ୍ଡିଆନ କହିଛନ୍ତି।

Exit mobile version