Site icon ଆଜିକାଲି

ଆଜି ବିଏମ୍‌ସି କର୍ପୋରେସନ ବୈଠକ, ଉଠିବ ରାସ୍ତା ମରାମତି ପ୍ରସଙ୍ଗ

ଭୁବନେଶ୍ୱର : ଆଜି ବିଏମ୍‌ସି କର୍ପୋରେସନ ବୈଠକ । ବମିଖାଲ ଦୁର୍ଗାମଣ୍ଡପ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ସହିଦନଗର ପୂଜା ମଣ୍ଡପ ସାମନା ଅବସ୍ଥା ବି ଶୋଚନୀୟ । ବିଏମ୍‌ସିର ସବୁ ଗଳି ରାସ୍ତା ଖାଲଖମାରେ ଭର୍ତ୍ତି । ପୂଜା ପୂର୍ବରୁ ଏହି ସବୁ ରାସ୍ତାକୁ ମରାମତି କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଏ ପର୍ଯ୍ୟନ୍ତ ରାସ୍ତା କାମ ସରିଲାନାହିଁ । ସମ୍‌ ହସ୍ପିଟାଲ ରାସ୍ତାକାମ ଦୀର୍ଘଦିନ ହେବା ଚାଲିଥିଲେ ମଧ୍ୟ ସରିଲା ନାହିଁ । ସେହିପରି ଆଚାର୍ଯ୍ୟବିହାର ରାସ୍ତା, ବାଣୀବିହାର ରାସ୍ତା, ଝାରପଡା ଭିତର ରାସ୍ତା ଅବସ୍ଥା ଖରାପ । ଏହି ପ୍ରସଙ୍ଗ ବୈଠକରେ ଉଠିବ ।

ସବୁ ଷ୍ଟାଣ୍ଡିଂ କମିଟି ବୈଠକ ଶେଷ ହୋଇଥିବାବେଳେ ଶୁକ୍ରବାର ବସୁଛି କର୍ପୋରେସନ ବୈଠକ । ଏଥର ବୈଠକରେ ଯନ୍ତ୍ରୀ-କର୍ପୋରେଟ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ବିଏମ୍‌ସିରେ ଟେଣ୍ଡର ବିବାଦକୁ ନେଇ ତୁତୁ ମେଁମେଁ ଚାଲିଛି । ମନଇଚ୍ଛା ସିଟି ଯନ୍ତ୍ରୀ ଟେଣ୍ଡର ରେଟ୍‌ କମ ବେଶି କରୁଥିବାରୁ କର୍ପୋରେଟର ବିରୋଧ କରି ଆସୁଛନ୍ତି । ଏହି ପ୍ରସଙ୍ଗ ଉଠାଇ କର୍ପୋରେଟର ଆସନ୍ତାକାଲି ଯନ୍ତ୍ରୀମାନଙ୍କୁ ଘେରିବାକୁ ଯୋଜନା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ସେହିପରି ସହରରେ ବିକାଶମୂଳକ କାମ ଆଗେଇ ପାରୁନି । ଲୋକଙ୍କ ମୌଳିକ ସମସ୍ୟା ଯୋଗାଇବାରେ ବିଏମ୍‌ସି ବିଫଳ ହୋଇଛି । ଯାହାକୁ ନେଇ ବିଏମ୍‌ସି ସିଟି ଯନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଭିଯୋଗ କରିବାକୁ ଆସିଥିବା ଲୋକେ ପରିସ୍ରା କରିଥିଲେ । ଏହା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ବୋଲି ମଧ୍ୟ କୁହାଯାଉଛି । ଏହି ପ୍ରସଙ୍ଗ ମଧ୍ୟ କିଛି କର୍ପୋରେଟର ଉଠାଇବେ । ଅଧିକାରୀମାନେ ମନଇଚ୍ଛା କାମ କରୁଥିବା ନେଇ କିଛି କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତାକାଲି କର୍ପୋରେସନ ବୈଠକରେ ୪ ବିଧାୟକ ଓ ଭୁବନେଶ୍ୱର ସାସଂଦକୁ ନିମନ୍ତ୍ରଣ କରାଯାଇଛି । ସାଂସଦ ବର୍ତ୍ତମାନ ରାଜ୍ୟ ବାହାରେ ଥିବାରୁ ବୈଠକରେ ତାଙ୍କ ପ୍ରତିନିଧି ଯୋଗଦେବେ ।

Exit mobile version