Site icon ଆଜିକାଲି

ବ୍ରହ୍ମପୁର-ଜୟପୁର ୩୩୫ କିମି ରାସ୍ତା ୪ ଲେନ କରାଯିବ : ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର: ନିର୍ମାଣ ବିଭାଗ ଜରିଆରେ ରାଜ୍ୟର ମୁଖ୍ୟତଃ ରାସ୍ତାର ଉନ୍ନତି, ସେତୁ ନିର୍ମାଣ, କୋଠା ନିର୍ମାଣ, ରାଜ୍ୟର ବ୍ୟାପକ ସଡ଼କ ନେଟ୍‌ୱାର୍କର ରକ୍ଷଣାବେକ୍ଷଣ ଏବଂ ମରାମତି , କୋଠାଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ମରାମତି , ରାଜ୍ୟରେ ଜାତୀୟ ରାଜପଥର ଉନ୍ନତି ତଥା ରକ୍ଷଣାବେକ୍ଷଣ ଇତ୍ୟାଦିର ବିକାଶ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ବୋଲି ନିର୍ମାଣ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ।

ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩ – ୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ୨୦୨୩ – ୨୪ ଆର୍ଥିକ ବର୍ଷରେ ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୦୦ କିଲୋମିଟର ସଡକ , ୦୯ ଗୋଟି ମୁଖ୍ୟ ସେତୁର ଉନ୍ନତିକରଣ ପାଇଁ ୪ , ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି , ଯାହା ୨୦୨୨ – ୨୩ ଆର୍ଥିକ ବର୍ଷରେ ୧୮୯୦ କୋଟି ଥିଲା । ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପଗୁଡିକ ହେଉଛି , ୬- ଲେନ୍‌ ବିଶିଷ୍ଟ କଟକ ରିଙ୍ଗ ରୋଡ୍ , ତାଳଦଣ୍ଡା କେନାଲର ଉନ୍ନତିକରଣ , ୪-ଲେନ୍‌ ବିଶିଷ୍ଟ କଟକ – ପାରାଦୀପ ରାସ୍ତା , ୪-ଲେନ୍‌ ବିଶିଷ୍ଟ କପିଳପ୍ରସାଦ – ଜଟଣୀ ରାସ୍ତା , ପାରଳାଖେମୁଣ୍ଡି ସହିତ ନୂତନ ୪-ଲେନ୍‌ ବିଶିଷ୍ଟ ସଂଯୋଗ ରାସ୍ତା ଏବଂ ବ୍ରହ୍ମପୁର , ବଲାଙ୍ଗୀର , ସମ୍ବଲପୁର ସହ ଅନ୍ୟାନ୍ୟ ସ୍ଥାନରେ ବାଇପାସ୍ ନିର୍ମାଣ ।

ଏତଦବ୍ୟତୀତ , ତ୍ରିସୁଳିଆଠାରେ କାଠଯୋଡ଼ି ନଦୀ ଉପରେ ନୂତନ ସେତୁ , ବୈତରଣୀ ନଦୀ ଉପରେ ଚାନ୍ଦବାଲି ଓ ଆନନ୍ଦପୁରଠାରେ ସେତୁ , ଆଳିଠାରେ ବ୍ରାହ୍ମଣୀ ନଦୀ ଉପରେ ସେତୁ ଏବଂ ଦୟା ପଶ୍ଚିମ କେନାଲରେ ୬-ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । ଗତ ଦୁଇ ଦଶନ୍ଧି ମଧ୍ୟରେ , ନିର୍ମାଣ ବିଭାଗ ଦ୍ଵାରା ପରିଚାଳିତ ସମୁଦାୟ ସଡ଼କ ଦୈର୍ଘ୍ୟ ୧୬ , ୦୪୧ କିମିରୁ ଦ୍ଵିଗୁଣିତ ହୋଇ ୩୧ , ୩୧୭ କିମି ହୋଇପାରିଛି । ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ପାଇଁ ନିର୍ମାଣ ବିଭାଗ ନିଜ ବିଭାଗ ସହିତ ଅନ୍ୟ ବିଭାଗର କୋଠାବାଡି ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ ।

ବର୍ତ୍ତମାନ ସମଗ୍ର ରାଜ୍ୟରେ , ୧ , ୨୮ , ୭୦ , ୮୮୫ ବର୍ଗ ମିଟର ପ୍ଲଡ୍ ଏରିଆ କୋଠାବାଡି ନିର୍ମାଣ ବିଭାଗ ଅଧୀନରେ ରହିଛି । ଏଥିରେ ଅନ୍ତର୍ଭୁକ୍ତ ଥିବା ପ୍ରମୁଖ ଭିତ୍ତିଭୂମି ଗୁଡିକ ହେଉଛି – ମେଡିକାଲ୍ କଲେଜ , ହସ୍ପିଟାଲ୍ , ଆଦର୍ଶ ବିଦ୍ୟାଳୟ , କୋର୍ଟ ବିଲଡିଂ , କ୍ରୀଡା ଭିତିଭୂମି ଇତ୍ୟାଦି । ବିଜୁ ଏକ୍ସପ୍ରେସ ୱେ – ୨ ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୩୫ କିଲୋମିଟର ଦୈର୍ଘ୍ୟ ରାସ୍ତାକୁ ୪ – ଲେନ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ୨୦୨୩ – ୨୪ ବର୍ଷରେ ଜମି ଅଧୁଗ୍ରହଣଜନିତ ଅତିରିକ୍ତ ଅର୍ଥ ରାଶି ସପ୍ଲିମେଣ୍ଟାରୀ ବଜେଟରେ ବୃଦ୍ଧି କରାଯିବ ।

ଐତିହ୍ୟ , ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳର ସମନ୍ବିତ ବିକାଶ ଯୋଜନା ଅଧୀନରେ ୧୫୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇ କୋଣାର୍କ , ମା ’ ଶାରଳା , ମା ’ କଟକ ଚଣ୍ଡୀ , ଶ୍ରୀନୀଳମାଧବ , ଶିଖରଚଣ୍ଡୀ , ଅଲାରନାଥ ପୀଠ ଆଦିକୁ ଉନ୍ନତ କରାଯିବା ପାଇଁ ସ୍ଥିର କରାଯାଇଛି । ଅବଢ଼ା ଯୋଜନା ଅଧୀନରେ ୨୨୩.୯୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଐତିହ୍ୟ ସହର ପୁରୀରେ କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ , ଯଥା – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ , ଶ୍ରୀସେତୁ , ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ସ୍ଥଳ , ମୁସା ନଦୀ ଏବଂ ସ୍ମାରକୀ ପୋଖରୀର ପୁନରୁଦ୍ଧାର , ବେଳାଭୂମି ସମ୍ମୁଖଭାଗର ବିକାଶ ଇତ୍ୟାଦି କାର୍ଯ୍ୟ ସମାପ୍ତ କରିବା ପାଇଁ ଯୋଜନା କରାଯାଇଛି । ଆର୍ ଆଇ ଡି ଏଫ୍ ଅଧୀନରେ ୬୯୮.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ରାସ୍ତାର ଉନ୍ନତି ତଥା ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ସେତୁ ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଛି । ଏହାଦ୍ଵାରା ୦୮ ଗୋଟି ସେତୁ ଏବଂ ୨୨୦ କିଲୋମିଟର ରାସ୍ତା କାର୍ଯ୍ୟ କରାଯିବ । ସଡକ ରକ୍ଷଣାବେକ୍ଷଣର ବୈଜ୍ଞାନିକ ପରିଚାଳନା ଏବଂ ସେତୁଗୁଡିକର ସ୍ଥିତିର ସର୍ବେକ୍ଷଣ ପାଇଁ ନିର୍ମାଣ ବିଭାଗ କେନ୍ଦ୍ରୀୟ ସଡକ ଅନୁସନ୍ଧାନ ପ୍ରତିଷ୍ଠାନ ସହଯୋଗରେ କାର୍ଯ୍ୟ କରିବ । ୧୦୦୦ କିଲୋମିଟର ରାସ୍ତାର ଉନ୍ନତି କରାଯିବା ସହ ୨୮ ଗୋଟି ସେତୁ , ୨ ଗୋଟି ଆରଓବି ଏବଂ ୧ ଗୋଟି ଫ୍ଲାଏଓଭର ନିର୍ମାଣ ସମ୍ପୂର୍ଣ କରାଯାଇଛି । ସମ୍ପୂର୍ଣ ହୋଇଥିବା ମୁଖ୍ୟ ରାସ୍ତା ପ୍ରକଳ୍ପ କରିଡରଗୁଡିକ ହେଉଛି – ୧୭୬ କିଲୋମିଟର ବିଶିଷ୍ଟ ନୂଆପଡା ଠାରୁ ଅମ୍ପାନି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ , ମହାନଦୀ ନଦୀ ଉପରେ ବୌଦଠାରେ ସେତୁ , ମହାନଦୀ ଉପରେ ଆଠମଲ୍ଲିକଠାରେ ସେତୁ , ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ୍ ଛକଠାରେ ଫ୍ଲାଏ ଓଭର ବ୍ରିଜ୍ ଇତ୍ୟାଦି । ୩୦୪ ଗୋଟି ବ୍ଲକକୁ ୨ – ଲେନ ବିଶିଷ୍ଟ ରାସ୍ତା ମାଧ୍ୟମରେ ସଂଯୋଗୀକରଣ କାର୍ଯ୍ୟ ସମ୍ପୂର୍ଣ କରାଯାଇଛି ।

ରାଜ୍ୟରେ ପ୍ରମୁଖ ବିଲଡିଂ ପ୍ରୋଜେକ୍ଟଗୁଡିକର କାର୍ଯ୍ୟ ଆଗେଇ ଚାଲିଛି । ଏଥିରେ ରହିଛି କଲେଜ , କଟକର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି , ୦୫ ଗୋଟି ମେଡିକାଲ୍ କଲେଜ , ୦୯ ଗୋଟି ଶିକ୍ଷାଦାନ ଡାକ୍ତରଖାନା , ୧୦ ଗୋଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ୧୦ ଗୋଟି କ୍ୟାନସର କେୟାର ହସ୍ପିଟାଲ , ୮୯ ଗୋଟି ମାତୃ ଓ ଶିଶୁମାନଙ୍କ ପାଇଁ ଡାକ୍ତରଖାନା ଓ ୮୯ ଗୋଟି ବହୁମୂଖୀ ଗୃହ । ଏସସିବି ମେଡିକାଲ ରାଜ୍ୟରେ ସଡ଼କ ଦୈର୍ଘ୍ୟ ୧୬, ୦୪୧ କିଲୋମିଟରରୁ ଦ୍ଵିଗୁଣିତ ହୋଇ ୩୧ , ୩୧୮ କିଲୋମିଟରକୁ ବୃଦ୍ଧି ପାଇଛି । ୨୦୦୦ – ୦୧ ବର୍ଷରେ ନିର୍ମାଣ ବିଭାଗ ବଜେଟ ୨୯୮ କୋଟିରୁ ବୃଦ୍ଧି ପାଇ ୨୦୨୩ – ୨୪ ବର୍ଷରେ ୯୫୦୦ କୋଟି ଟଙ୍କାରେ ପହଞ୍ଚିଛି । ୨୧ , ୮୧୫ କିଲୋମିଟର ରାସ୍ତାର ଉନ୍ନତି କରାଯିବା ସହ ୫୧୮ ଗୋଟି ସେତୁ , ୨୧ ଗୋଟି ଆରଓବି ଏବଂ ୩ ଗୋଟି ଫ୍ଲାଏଓଭର ନିର୍ମାଣ ହୋଇଛି । ସମ୍ପୂର୍ଣ ହୋଇଥିବା କେତେକ ପ୍ରମୁଖ ସଡକ ପ୍ରକଳ୍ପ କରିଡରଗୁଡ଼ିକ ହେଉଛି – ୧୬୩ କିଲୋମିଟରର ସମ୍ବଲପୁର – ରାଉରକେଲା ରାସ୍ତା ୪ – ଲେନ୍‌ ବିଶିଷ୍ଟ , କଟକ ପାରାଦୀପ ୮୨ କିଲୋମିଟର ସିସି ରାସ୍ତା , ଓଡ଼ିଶା ରାଜ୍ୟ ସଡକ ପ୍ରକଳ୍ପ ( ଭବାନୀପାଟଣା -ଖରିଆର , ଆନନ୍ଦପୁର – ଭଦ୍ରକ – ଚାନ୍ଦବାଲି , ବ୍ରହ୍ମପୁର – ତପ୍ତପାଣି ଏବଂ ଜଗତପୁର – ଚାନ୍ଦବାଲି ) ଅନ୍ତର୍ଗତ ୩୦୪.୫୦ କିଲୋମିଟର ରାସ୍ତାର ଦୋହରିକରଣ , ୧୨୦୦ କିଲୋମିଟର ବିଜୟାଡା –ରାଞ୍ଚି କରିଡରର ଦୋହରିକରଣ ( ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ) ।

ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବା ଅବସରରେ କହିଲେ ଯେ ସମ୍ପୂର୍ଣ ହୋଇଥିବା କେତେକ ପ୍ରମୁଖ ସେତୁ ପ୍ରକଳ୍ପ ହେଉଛି – ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ , ସମ୍ବଲପୁର ଜିଲ୍ଲାର ମହାନଦୀ ଉପରେ ନେଲସନ ମଣ୍ଡେଲା ଛକଠାରେ ସେତୁ , କଟକ ଜିଲ୍ଲାର ମହାନଦୀ ଉପରେ ଗୋପୀନାଥପୁରରେ ଟି – ବ୍ରିଜ୍ , କଟକ ଜିଲ୍ଲାର ମହାନଦୀ ଉପରେ ମଧୁସୂଦନ ସେତୁ , କାଠଯୋଡି ନଦୀ ଉପରେ ନେତାଜୀ ସୁବାସ ବୋଷ ସେତୁ , ଝାରସୁଗୁଡା ଜିଲ୍ଲାର ଇବ୍‌ ନଦୀ ଉପରେ ରେଙ୍ଗାଲୀଠାରେ ସେତୁ , ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ଉପରେ ବାଜି ରାଉତ ସେତୁ , ଯାଜପୁର ଜିଲ୍ଲାର ବ୍ରାହ୍ମଣୀ ଉପରେ ଜେନାପୁରଠାରେ ସେତୁ , ଜଗତସିଂହପୁର ଜିଲ୍ଲାର ଶଙ୍ଖାରିସାହି ଠାରେ ବିଲୁଆଖାଇ ନଦୀ ଉପରେ ସେତୁ , ରାୟଗଡା ଜିଲ୍ଲା ଗୁମୁଦାଠାରେ ବଂଶଧାରା ନଦୀ ଉପରେ ସେତୁ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ  ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବଳେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗୁର୍‌ବୀର ସିଂ ଏବଂ ନିର୍ମାଣ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧ୍ଵ ଉପସ୍ଥିତ ଥିଲେ ।

Exit mobile version