Site icon ଆଜିକାଲି

ପଳାତକ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ଛାଟ: ସମ୍ପତ୍ତି ଜବତ

ବ୍ରହ୍ମପୁର: ହତ୍ୟା ଅଭିଯୋଗରେ ସମ୍ପୃକ୍ତ ଥାଇ ଫେରାର ରହିଥିବା, ପୋଲିସ ଓ କୋର୍ଟଙ୍କ ବାରମ୍ବାର ସମନ୍‌ ଜାରି ସତ୍ତ୍ଵେ ଆତ୍ମସମର୍ପଣ କରିବା ବଦଳରେ ଗୁପ୍ତ ସ୍ଥାନରେ ଲୁଚି ରହିଥିବା ବ୍ରହ୍ମପୁର ଗୋସାଇଁନୂଆଗାଁର ଜଣେ ଅଭିଯୁକ୍ତର ସମ୍ପତ୍ତି ଜବତ କରିଛି ପୋଲିସ। ଅଭିଯୁକ୍ତ ଶଙ୍କର ବେହେରାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ବ୍ରହ୍ମପୁର ସେସନ୍ସ୍‌ ଜଜ୍‌ କୋର୍ଟରେ ବିଚାରଣା ଚାଲିଥିବା ଏସ୍‌ଟି କେସ୍‌ ୨୧୬/୨୦୦୯ରେ ଶଙ୍କର ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୋସାଇଁନୂଆଗାଁ ଥାନା ପୋଲିସ।

ଗଞ୍ଜାମ ପୋଲିସ ପରେ ଏବେ ବ୍ରହ୍ମପୁର ପୋଲିସ ଅପରାଧୀତତ୍ତ୍ବଙ୍କୁ ସାବାଡ କରିବା ପାଇଁ ଏଭଳି ପଦକ୍ଷେପ ହାତକୁ ନେଇଛି। ଆଜି କୋର୍ଟ ନିର୍ଦ୍ଦେଶ ପ୍ରକାରେ ଗୋସାଇଁନୂଆଗାଁ ନେହରୁନଗର ୪ର୍ଥ ଗଳିରେ ପୋଲିସ ବାହିନୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପଳାତକ ଘୋଷଣା ହୋଇଥିବା ଶଙ୍କରଙ୍କୁ ଆତ୍ମସମର୍ପଣ କରିବାକୁ ମାଇକ୍‌ ଘୋଷଣା କରିଥିଲା। ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ମାଇକ୍‌ ଧରି ଶଙ୍କରକୁ ପଳାତକ ଘୋଷଣା କରାଯାଇଥିବା ଏବଂ କୋର୍ଟ ନିର୍ଦ୍ଦେଶ ପ୍ରକାରେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଉଥିବା ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ। ଏହାପରେ ପୋଲିସ ଘରୁ ସମ୍ପତ୍ତି ଜବତ କରି ନିଜ ହେପାଜତକୁ ନେଇଥିଲା। ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍।

ଗତ ୨୦୦୯ ମସିହାରେ ବ୍ରହ୍ମପୁର ରେଳ ଷ୍ଟେସନ୍‌ ଠାରେ ଏକ ହତ୍ୟାକାଣ୍ଡ ହୋଇଥିଲା। ଏହି ଘଟଣାରେ ଶଙ୍କର ଅଭିଯୁକ୍ତ ଭାବେ ଥାଇ ମଧ୍ୟ ଗତ ପ୍ରାୟ ୧୪ ବର୍ଷ ହେବ ପୋଲିସକୁ ଚକ୍‌ମା ଦେଇ ଏଣେତେଣେ ଆତ୍ମଗୋପନ କରି ପୋଲିସ ପଞ୍ଝାରୁ ନିଜକୁ କୌଣସିମତେ ସୁରକ୍ଷିତ ରଖି ଆସିଛି। ଫଳରେ କେସ୍‌ ବିଚାରଣା ସମ୍ପୂର୍ଣ୍ଣ ହୋଇପାରୁନି। ଶଙ୍କର କୋର୍ଟ ହାଜର ନହେବାରୁ ତା ବିରୋଧରେ ସର୍ଚ୍ଚ ଓ୍ବାରେଣ୍ଟ ଜାରି କରିଥିଲେ କୋର୍ଟର ବିଚାରପତି ଆଉ ତାହାକୁ ଆଧାର କରି ସମ୍ପତ୍ତି ବ୍ୟାଜାପ୍ତି ଭଳି ପଦକ୍ଷେପ ନେଇଛି ପୋଲିସ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ସମେତ ବିଭିନ୍ନ ଥାନା ଇଲାକାରେ ଅପରାଧିଙ୍କୁ ସାବାଡ କରିବାକୁ ତଥା ପୋଲିସ ଆଗରେ ମୁଣ୍ତ ନୁଆଁଇ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ଏଭଳି କଠୋର ପଦକ୍ଷେପ ନେଇଥିଲା। ଏହାର ସୁଫଳ ମଧ୍ୟ ଗଞ୍ଜାମ ପୋଲିସ ପାଇଥିଲା ଯେତେବେଳେ କି ସମ୍ପତ୍ତି ଜବତ ପରେ ପରେ ହିଁ ଦୁଇ ଗୋଟି ମାମଲାରେ ଅଭିଯୁକ୍ତମାନେ ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲେ।

Exit mobile version