Site icon ଆଜିକାଲି

ବ୍ରହ୍ମପୁର ପୋଲିସ ଜବତ କଲା ୧୦ କୋଟିର ଗୁଟଖା ସାମଗ୍ରୀ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ନକଲି, ଅପମିଶ୍ରିତ, ବେଆଇନ ତଥା ନିଶା ସାମଗ୍ରୀ ବିରୋଧରେ ଅଭିଯାନରେ ବଡ଼ ସଫଳତା ହାସଲ କରିଛି। ସହର ଉପକଣ୍ଠ ହଳଦିଆପଦର ଅଟୋନଗର ଅଞ୍ଚଳରୁ ଜବତ କରିଛି ୧୦ କୋଟିରୁ ଅଧିକ ଟଙ୍କାର ଗୁଟଖା ସାମଗ୍ରୀ। ୫ଟି ବଡ଼ ବଡ଼ କୋଠା ଓ ଗୋଟିଏ ଗୋଦାମରେ ଲୁଚାଛପାରେ ଚାଲିଥିଲା ଗୁଟଖା କାରବାର। ଏସପି ଡା ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ପୋଲିସ ଚଢ଼ାଉ କରି ସେସବୁକୁ ଜବତ କରିଛି। ସମଗ୍ର ଦକ୍ଷିଣ ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ଚାଲାଣ ଉଦ୍ଦେଶ୍ୟରେ ଥିବା ବିପୁଳ ପରିମାଣର ଗୁଟଖା ସମେତ ପ୍ରସ୍ତୁତି ସାମଗ୍ରୀ, ମେସିନ୍, କୋଠା ଆଦି ଜବତ କରିଛି ପୋଲିସ। ବ୍ରହ୍ମପୁରର ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏସପି ନିଜେ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବ୍ରହ୍ମପୁର ପୋଲିସ। ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଉକ୍ତ ଗୋଦାମ ଶୁନଶାନ୍ ଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଦାମ ସିଲ୍ କରିବା ବେଳକୁ ବିପୁଳ ପରିମାଣର ପାନ ମସଲା, ଜର୍ଦ୍ଦା, ଗୁଟଖା ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା ପୋଲିସ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ବଡ଼ବଜାର ଥାନା ବାଲିଙ୍କିପେଟା ସାହିର ଏମ୍.ବ୍ରହ୍ମମ୍ ଏବଂ ଗୋସାଇଁନୂଆଗାଁ ଥାନା ହିଲପାଟଣା ଅଞ୍ଚଳର ସୁବ୍ରତ କୁମାର ବେହେରାଙ୍କୁ କାବୁ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ରହିଛି ୫୦ ବସ୍ତା ଗୁଟଖା ଖଇନି, ୫୦ ଟନ୍ ପାନପତ୍ର, ୨୦୦୦ ଲିଟର ତରଳ ସୁଗନ୍ଧ, ୧୨ଟି ଫ୍ରାଇଂ ମେସିନ୍, ୬ଟି ପ୍ଲାଷ୍ଟିକ ଡ୍ରମରେ ଥିବା ୪୮୦ କେଜି ଗୁଟଖା, ୩୦୦ କେଜି ଗୁଟଖା ମସଲା ଓ ଅନ୍ୟାନ୍ୟ ସାମଗ୍ରୀ। ଉକ୍ତ ଗୋଦାମ ଓ କୋଠା ଗୁଡ଼ିକୁ ସିଲ୍ କରି ଦିଆଯାଇଛି।

ଏହି କାରବାରର ମାଷ୍ଟର୍ ମାଇଣ୍ଡ କୁହାଯାଉଥିବା ପି.ଗୋପାଳକୃଷ୍ନ ୨୦୧୬ରେ ମଧ୍ୟ ବେଆଇନ ଗୁଟଖା କାରବାର ନେଇ ଗିରଫ ହୋଇଥିଲେ। ମାମଲା କୋର୍ଟରେ ବିଚାରାଧୀନ ଅଛି। ହଳଦିଆପଦରରୁ ବିପୁଳ ପରିମାଣର ଗୁଟଖା ଜବତ ଘଟଣାର ଅଧିକ ତଦନ୍ତ ଜାରି ରହିଛି ଓ ମୁଖ୍ୟ ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ତନାଘନା ଜାରି ରଖିଥିବା ବ୍ରହ୍ମପୁର ଏସପି ପ୍ରକାଶ କରିଛନ୍ତି।

Exit mobile version