Site icon ଆଜିକାଲି

ଶୁକ୍ରବାର ରାତିରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି ସ୍ଥାପନ


ବ୍ରହ୍ମପୁର: ରେଶମ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ମାର୍ଚ୍ଚ ୧୭ ତାରିଖ ରାତ୍ର ୧୦ଟାରୁ ମଧ୍ୟ ରାତ୍ର ୨ଟା ୩୦ ମଧ୍ୟରେ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯିବ। ଯାତ୍ରା ଆୟୋଜକ ପି.ଦୁର୍ଗାପ୍ରସାଦ ଦେଶୀବେହେରାଙ୍କୁ ସିଦ୍ଧାନ୍ତି (ପାରମ୍ପରିକ ପୂଜାର୍ଚ୍ଚନା ତାରିଖ ଧାର୍ଯ୍ୟ କରୁଥିବା ପୂଜକ ଗୁରୁ) ମଙ୍ଗଳବାର ଏହି ଶୁଭ ତିଥି ପ୍ରଦାନ କରିଛନ୍ତି। ସେହି ରାତିରେ ବୁଢି ଠାକୁରାଣୀଙ୍କୁ ବାପ ଘର ଅର୍ଥାତ୍ ଦେଶୀବେହେରାଙ୍କ ଘରକୁ ନିମନ୍ତ୍ରଣ କରାଯାଇଥାଏ। ମା’ଙ୍କ ଆଗମନ ସକାଶେ ବାପା ଦେଶୀବେହେରାଙ୍କ ଘର ଆଗରେ‌ ଶୁଭଖୁଣ୍ଟି ସ୍ଥାପନ କରାଯାଇଥାଏ। ସେହି ରାତିରେ ଶୁଭଖୁଣ୍ଟି ସ୍ଥାପନ ସହ ଯାତ୍ରା କେବେଠାରୁ ଆରମ୍ଭ ହେବ, କେବେ ଶେଷ ହେବ ସେହି ତାରିଖ ଧାର୍ଯ୍ୟ କରାଯିବ।

ବିଗତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଯାତ୍ରା ଆରମ୍ଭ ହେବାର ମାତ୍ର ତିନି ଦିନ ପରେ ଯାତ୍ରା ସ୍ଥଳରେ ପୂଜକ ଓ ଭକ୍ତ ସଂକ୍ରମିତ ହେବାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ହୋଇଯାଇଥିଲା। ପରେ ଅତି ନିରାଡମ୍ବର ଭାବେ ହାତଗଣତି ଲୋକଙ୍କୁ ନେଇ କୌଣସି ପଟୁଆର ନଥାଇ ମା’ ସ୍ଥାୟୀ ମନ୍ଦିରକୁ ଫେରିଥିଲେ। ଏଣୁ ଏଥର ଯାତ୍ରା ଅଧିକ ଦିନ ଧରି ଓ ଜାକଜମକ ସହ ଆୟୋଜିତ ହେବା ସୂଚନା ମିଳିଛି।

Exit mobile version