Site icon ଆଜିକାଲି

ଏମ୍ସ ଭୁବନେଶ୍ବରେ ଦଲାଲି, ୫ ବ୍ୟକ୍ତି ଗିରଫ

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଭୁବନେଶ୍ବରରେ ଦଲାଲି କରୁଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ପାଞ୍ଚ ଜଣ ଅଭିଯୁକ୍ତମାନେ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ। ସାହାଯ୍ୟ କରିବା ଆଳରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ହଜାର ହଜାର ଟଙ୍କା ଠକୁଥିଲେ। ଏହାସହିତ ସେମାନେ ଓପିଡି ଟିକଟ କରାଇଦେବାକୁ କହି ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ଟିକେଟ କରାଇବା ଓ ସୁବିଧାରେ ଚିକିତ୍ସା ପାଇବା ଲୋଭ ଦେଖାଇ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ।

ସାଦା ପୋଷାକରେ ପୁଲିସ ଏମାନଙ୍କ ଉପରେ ନଜର ରଖିବା ପରେ ପାଞ୍ଚ ଜଣ ଦଳାଲଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ୫ଜଣଙ୍କୁ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଣ୍ଡଗିରି ପୁଲିସ ସୂଚନା ଦେଇଛି।

ଏମାନଙ୍କ ସହ ଆଉ କିଏ ସଂପୃକ୍ତ, ତାହାକୁ ନେଇ ତଦନ୍ତ କରୁଛି ଖଣ୍ଡଗିରି ଥାନା ପୁଲିସ। ଏପରି ଦଲାଲ ନଜରକୁ ଆସିଲେ ପୁଲିସକୁ ଜଣାଇବା ପାଇଁ ପୁଲିସ ପକ୍ଷରୁ ଜନ ସାଧାରଣଙ୍କୁ ଅପିଲ କରାଯାଇଛି। ଯଦି ଏପରି ବ୍ୟକ୍ତିଙ୍କୁ କେହି ଦେଖନ୍ତି ତା’ହେଲେ ହେଲ୍ପଲାଇନ୍ ନମ୍ବର (୭୦୭୭୭୯୮୧୧୧)ରେ ଜଣାଇପାରିବେ ବୋଲି ପୁଲିସ କହିଛି।

Exit mobile version