Site icon ଆଜିକାଲି

ଅସହାୟ ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ସହାୟତା ଯୋଗାଇଲେ ବିଏସକେୱାଇ ଟିମ୍

ଭୁବନେଶ୍ୱର: ଅସହାୟ ବରିଷ୍ଠ ନାଗରିକ ଭାରତ ଭୁଷଣଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ଟିମ୍ ଜୀବନ ରକ୍ଷାକାରୀ ସହାୟକ ସାବ୍ୟସ୍ତ ହୋଇଛନ୍ତି । ଟିମ୍ ର ସମୟୋଚିତ ପଦକ୍ଷେପ ହେତୁ ଭାରତ ଭୁଷଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଯାଇ ପାରିଛି । ଅଲସର୍ ପରି ରୋଗର ନିଦାନ କରାଯାଇ ସ୍ଥିତି ଅତି ସଙ୍ଗୀନ ହେବା ପୂର୍ବରୁ ଜୀବନ ରକ୍ଷା କରାଯାଇ ପାରିଛି । ତାଙ୍କର ଆରୋଗ୍ୟ ଲାଭ ଆଶା ଉଜ୍ୱଳ ହୋଇଛି ।

ଘଟଣାର ବିବରଣୀରୁ ଜଣାପଡ଼ିଛି ଯେ ପ୍ରାୟ ୬୦ ବର୍ଷ ବୟସ୍କ ଭାରତ ଭୁଷଣଙ୍କ ଘର ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଗଡ଼ପଦନପୁର ଗ୍ରାମରେ । ସାଧାରଣ ଜୀବନ ଧାରାରୁ ଅଲଗା ହୋଇ ସେ ସାରା ଜୀବନ ଅବିବାହିତ ରହିଥିଲେ । ଏକାକୀ ଗୋଟିଏ ଅଧାଭଙ୍ଗା ଘରକୁ ନିଜର ଆଶ୍ରୟସ୍ଥଳୀ କରିଥିଲେ । ଗତ ପ୍ରାୟ ୧ ମାସ ତଳେ ତାଙ୍କର ଡାହାଣ ଗୋଡ଼ ପାଦରେ ଗୋଟିଏ ଘା’ ହୋଇଥିଲା । ଚିକିତ୍ସା ନକରିବାରୁ ଘା’ ଟି ଧିରେ ଧିରେ ପଚିଯାଇ ପାଦର ଅନ୍ୟ ଅଂଶକୁ ବ୍ୟାପିଲା ଓ ବଡ ଆକାର ଧାରଣ କଲା । ତାଙ୍କର ପାଦ ଓ ଗୋଡ଼ ଫୁଲିବାକୁ ଲାଗିଲା । ଯନ୍ତ୍ରଣା ବଢ଼ିଲା ସ୍ଥିତି ଏପରି ହେଲା ଯେ ଆଉ କୁଆଡ଼େ ଯିବା ଆସିବା କରିନପାରି ଭାରତ ଭୁଷଣ ଏକାକୀ ଅଯତ୍ନ ଭାବେ ସେହି ଘରେ ପଡିରହିଲେ । କେହି ଦୟାକରି ଅନ୍ନ, ଜଳ ଟିକିଏ ଦେଲେ ଖାଉଥିଲେ । ନମିଳିଲେ ଭୋକ ଓପାସରେ ପଡ଼ି ରହୁଥିଲେ ।

ଗଣ ମାଧ୍ୟମରୁ ଏ ବିଷୟରେ ଗତ ଫେବୃଆରୀ ମାସ ୨୦ ତାରିଖରେ ଜାଣିବା ମାତ୍ରେ ବି.ଏସ୍.କେ.ୱାଇ ଟିମ୍ ପୁରୀ ଜିଲ୍ଲା ପ୍ରଶାସନ ସହ ମିଶି ମିଶନ୍ ମୋଡ୍ ରେ କାର୍ଯ୍ୟ ଆରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶମତେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍ ଫେବୃଆରୀ ୨୧ ତାରିଖ ପୂର୍ବାହ୍ନରେ ଗଡ଼ପଦନପୁର ଗ୍ରାମକୁ ଯାଇ ଭାରତଙ୍କୁ ଭେଟିଥିଲେ । ତାଙ୍କ ଗୋଡର ପ୍ରାଥମିକ ଚିକିତ୍ସା ଓ ବ୍ୟାଣ୍ଡେଜ୍ ଆଦି କରିଥିଲେ । ଡାକ୍ତରୀ ଚିକିତ୍ସା କରାଇବା ପାଇଁ ବୁଝାସୁଝା କରିଥିଲେ, ଏବଂ ରାଜ୍ୟ ସରକାର ମାଗଣାରେ ଓୗଷଧ ଓ ସେବା ଆଦି ଯୋଗାଉଥିବା ବିଷୟ ମଧ୍ୟ ଜଣାଇଥିଲେ ।

ତା’ପରଦିନ (୨୨, ଫେବୃଆରୀ) ଭାରତ ଭୁଷଣଙ୍କୁ ନିମପଡ଼ା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କର ଗୋଡ ଘା’ ଅଲସର୍ ଅବସ୍ଥାକୁ ବଢ଼ିଯାଇଛି । ସଂକ୍ରମଣ ମାତ୍ରା ଅଧିକ ଜଟିଳ ଥିବାରୁ ଉଚ୍ଚତ୍ତର ଚିକିତ୍ସା ନିମନ୍ତେ ତାଙ୍କୁ କଟକର ଶ୍ରୀ ରାମ ଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ସୁପାରିଶ କରାଗଲା ଏବଂ କଟକ ଯିବା ନିମନ୍ତେ ୧୦୮ ନିଃଶୁଳ୍କ ଆମ୍ଭ୍ୟୁଲାନ୍ସ୍ ଯୋଗାଇ ଦିଆଗଲା । ହେଲେ ଭାରତ କଟକ ଯିବାକୁ ଦୃଢ଼ ଅନିଚ୍ଛା ପ୍ରକାଶ କରି ବିଭିନ୍ନ ବାହାନାରେ ଗ୍ରାମକୁ ପଳାଇଗଲେ ।

ପରବର୍ତ୍ତୀ ଅନୁସରଣ ପଦକ୍ଷେପ ଭାବେ ବି.ଏସ୍.କେ.ୱାଇ ଟିମ୍ ପୁନଶ୍ଚ ଗଡ଼ପଦନପୁର ଗ୍ରାମକୁ ଯାଇ ଭରତଙ୍କୁ ତାଙ୍କ ଘରେ ବୁଝାସୁଝା କରିଥିଲେ । କଟକ ଯିବାକୁ ନଚାହିଁଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବା; ଏବଂ ଓୗଷଧ ଓ ପଥି ଆଦି ମାଗଣାରେ ଠିକ୍ ଭାବେ ଯୋଗାଇ ଦେବାର ପୂର୍ଣ୍ଣ ଭରଷା ଦେଇଥିଲେ । ଏସବୁ ଫଳରେ ଭାରତ ଭୁଷଣ ଚିକିତ୍ସା ନିମନ୍ତେ ପୁରୀ ଯିବାକୁ ରାଜି ହୋଇଥିଲେ । ତଦନୁଯାୟୀ ସ୍ୱାସ୍ଥ୍ୟ ଟିମ୍ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

ବର୍ତ୍ତମାନ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଷ ସର୍ଜରୀ ଓ୍ୱାର୍ଡ ଶଯ୍ୟା-୨୨୯ ରେ ରହି ଚିକିତ୍ସିତ ହେଉଛନ୍ତି । ଜଣେ ସର୍ଜରୀ ସ୍ପେସାଲିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବିଧାନରେ ତାଙ୍କର ଚିକିତ୍ସା ଚାଲିଛି । ଭାରତଙ୍କର କେହି ଆତ୍ମୀୟ ସ୍ୱଜନ ସହାୟକ ଭାବେ ନଥିବାରୁ ସହାୟ ସ୍ୱେଚ୍ଛାସେବୀମାନଙ୍କୁ ତାଙ୍କର ସହାୟତା କରିବାକୁ କୁହାଯାଇଛି। ଏହି ସ୍ବେଛାସେବୀମାନେ ମଧ୍ୟ ପାଳି ଅନୁସାରେ ତାଙ୍କୁ ସହଯୋଗ କରି ଆବଶ୍ୟକୀୟ ସେବା ଦେଉଛନ୍ତି । ଇତି ମଧ୍ୟରେ ଭାରତ ଭୁଷଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି । ତାଙ୍କୁ ଚିକିତ୍ସା କରୁଥିବା ସ୍ପେସାଲିଷ୍ଟ୍ କହିଛନ୍ତି ଯେ “ସେ କିଛି ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିବେ” ।

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ସୁଜାତା ମିଶ୍ର କହିଛନ୍ତି, “ଭାରତ ଭୁଷଣଙ୍କ ଗୋଡରେ ଥିବା ଅଲସରକୁ ନିୟନ୍ତ୍ରଣାଧିନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇଛି । ତାଙ୍କ ପାଇଁ ପୁଷ୍ଟିଯୁକ୍ତ ପଥିର ବ୍ୟବସ୍ଥା କରାଯାଇଛି । ସମସ୍ତ ଚିକିତ୍ସା, ଗୁଣାତ୍ମକମାନର ଉଚ୍ଚ ଶକ୍ତ ସଂପନ୍ନ ଓୗଷଧ ଓ ପଥି ଆଦି ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି । ଆବଶ୍ୟକ ପଡିଲେ ଅଲସର ଭଲହେବା ସଂଗେ ସଂଗେ ତାଙ୍କର ସ୍କିନ୍ ଗ୍ରାଫ୍ଟିଂ ମଧ୍ୟ କରାହେବ” ।

ରାଜ୍ୟ ସ୍ତରରୁ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ କ୍ଷେତ୍ରସ୍ତରୀୟ ଚିକିତ୍ସକ ଦଳ ପର୍ଯ୍ୟନ୍ତ ସମୁଦାୟ ବି.ଏସ୍.କେ.ୱାଇ. ଟିମଙ୍କର ଏପରି ସହୃଦୟାତ୍ମକ ପଦକ୍ଷେପକୁ ଗ୍ରାମବାସୀ ଓ ବୁଦ୍ଧିଜିବୀ ପ୍ରଶଂସା କରିବା ସହ ଅସହାୟ ଲୋକଙ୍କ ଚିକିତ୍ସା ସହାୟତା ପାଇଁ ପ୍ରଣୟନ କରାଯଇଥିବା ଫଳଦାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନିମନ୍ତେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Exit mobile version