Site icon ଆଜିକାଲି

ପୁଣି ଚେତାବନୀ ଦେଲା ବସ୍‌ ମାଲିକ ସଂଘ, ଦାବି ପୂରଣ ନ ହେଲେ ୧୭ରୁ ଧର୍ମଘଟ

ଭୁବନେଶ୍ୱର : ପୁଣି ଚେତାବନୀ ଦେଲା ବସ୍‌ ମାଲିକ ସଂଘ । ରାଜ୍ୟ ବସ୍‌ ମାଲିକ ସଂଘର ନାଯ୍ୟ ଦାବି ପୂରଣ ଦିଗରେ ବିଭାଗୀୟ ଅଧିକାରୀ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ବସ୍‌ ମାଲିକଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ଏହାକୁ ଦ୍ବିଗୁଣିତ କରୁଛନ୍ତି। ଆସନ୍ତା ୧୬ ତାରିଖ ସୁଦ୍ଧା ସଂଘର ଦାବି ପୂରଣ କରା ନ ଗଲେ ୧୭ରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଘରୋଇ ବସ୍‌ ଧର୍ମଘଟ କରିବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା ବସ୍‌ ମାଲିକ ସଂଘ।

ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ, ବସ୍‌ ମାଲିକ ସଂଘର ଦାବି ସମ୍ପର୍କରେ ୪ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲା। ଦାବି ପୂରଣ ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ସହ ଏ ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲେ। ବିଜ୍ଞପ୍ତି ପ୍ରକାଶ ସତ୍ତ୍ବେ ରାଜ୍ୟ ପରିବହନ ଆୟୁକ୍ତ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି । ଏହାର ପ୍ରତିବାଦରେ ବୁଧବାର ସଂଘର ୫ ନମ୍ବର ଜୋନ୍‌ର ୧୬ଟି ଆଞ୍ଚଳିକ ବସ୍‌ ମାଲିକ ସଂଘର ପ୍ରତିନିଧି ଏକ ବୈଠକରେ ଏକତ୍ରିତ ହୋଇ ଦୀର୍ଘଦିନର ଦାବି ସମ୍ପର୍କରେ ଆଲାଚନା ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକର ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ତୁରନ୍ତ ଅବଗତ କରାଯିବା ସହ ପରିବହନ ଆୟୁକ୍ତଙ୍କୁ ବିଜ୍ଞପ୍ତି କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେବାକୁ ଅନୁରୋଧ କରାଯିବାକୁ ସ୍ଥିର ହୋଇଥିଲା। ୧୬ ତାରିଖ ମଧ୍ୟରେ ଯଦି ସରକାରୀ ବିଜ୍ଞପ୍ତି କାର୍ଯ୍ୟକାରୀ ନ ହୁଏ ତେବେ ୧୭ରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ କରାଯିବ।

Exit mobile version