Site icon ଆଜିକାଲି

୨୦୨୪ ମସିହା ସୁଦ୍ଧା ୧୭୦୦ ଜଳାଶୟ ପୁନରୁଦ୍ଧାର ସମ୍ପୂର୍ଣ୍ଣ କରାଯିବ

ଭୁବନେଶ୍ୱର : ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଭୁବନେଶ୍ୱର ଜାଭିୟର ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ସହରାଚଂଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ ଉପରେ ଶୁକ୍ରବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ଏହି କର୍ମଶାଳାକୁ ବି.ଏମ୍‌.ସି ମେୟର ସୁଲୋଚନା ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସହରାଚଂଳ ମାନଙ୍କରେ ଜଳାଶୟ ପୁନରୁଦ୍ଧାର ଓ ନବୀକରଣର ଜରୁରୀ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଯୋଜନାରେ ପାଇଲଟ ପ୍ରକଳ୍ପ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ନିକୋ ପାର୍କକୁ ନିଆଯାଇଛି ଓ ୨୨ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସଂପୃକ୍ତ ହୋଇଛନ୍ତି ବୋଲି ସେ କହିଥିଲେ । ସ୍ୱତନ୍ତ୍ର ସଚିବ ସାଗରୀକା ପଟ୍ଟନାୟକ କହିଥିଲେ ଯେ ସହରାଚଂଳ ମାନଙ୍କରେ ଥିବା ଜଳାଶୟ ଗୁଡିକ ସରକାରଙ୍କର ନୁହେଁ ବରଂ ଜନସାଧାରଙ୍କର ନିଜର ବୋଲି ଭାବି ସେ ସବୁର ଯତ୍ନ ନେବାର ଆବଶ୍ୟକତା ରହିଛି । ସେଥି ପାଇଁ ବର୍ତମାନ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳ କରିବାକୁ କହିଥିଲେ ।

ରାଜ୍ୟ ସହରାଚଂଳ ବିକାଶ ସଂସ୍ଥା ( ସୁଡା )ର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା କହିଥିଲେ ରାଜ୍ୟର ୧୧୫ ଟି ପୌରାଚଂଳରେ ୧୭୦୦ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ ପାଇଁ ଲକ୍ଷ୍ୟ ରହିଛି । ୨୦୨୪ ମସିହା ସୁଦ୍ଧା ଗୋଷ୍ଠୀ ସହଭାଗିଦାରୀରେ ସମ୍ପୂର୍ଣ୍ଣ କରାଯିବ । ମିଶନ ଶକ୍ତି ଗୋଷ୍ଠୀ ମାନେ ଏବେ ଗୁରୁଦାୟିତ୍ୱ ତୁଲାଉଥିବାରୁ ଆଗାମୀ ଦିନରେ ଏହି ଜଳାଶୟ ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟକୁ ଉଚ୍ଚତର ସୋପାନକୁ ନେଇ ଯାଇ ପାରିବେ ବୋଲି ଶ୍ରୀ ପଣ୍ଡା କହିଥିଲେ ।
ବେଙ୍ଗୀଲୁରୁର ଲେକମ୍ୟାନ୍ ଭାବେ ପରିଚିତ ଆନନ୍ଦ ମାଲିଗଭାଡ ପରିବେଶ ଅନୁକୁଳ ଜଳାଶୟ ପୁନରୁଦ୍ଧାର ମଡେଲର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ନୀତି ଓ ଆଭିମୁଖ୍ୟ ଉପରେ ଆଲୋଚନା ରଖିଥିଲେ । ଉକ୍ତ କର୍ମଶାଳାରେ ବି.ଏମ୍‌.ସି ଓ ସି.ଏମ୍‌.ସି ସମେତ ଖୋର୍ଦ୍ଧା , କଟକ , ପୁରୀ ,ନୟାଗଡ , ଅନୁଗୋଳ , ବୌଦ୍ଧ , ଯାଜପୁର , ବରଗଡ ଓ ଜଗତସିଂହପୁର ଭଳି ୯ଗୋଟି ଜିଲ୍ଲାର ୨୧ ଗୋଟି ପୌରାଚଂଳର ନିର୍ବାହୀ ଅଧିକାରୀ , ଯନ୍ତ୍ରୀ ଓ ଅଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରମାନେ ଯୋଗ ଦେଇଛନ୍ତି ।

Exit mobile version