Site icon ଆଜିକାଲି

ଆଜି ୬ ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ୬ ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଉପନିର୍ବାଚନ ହେଉଥିବା ୭ ବିଧାନସଭା ଆସନ ହେଲା ଉତ୍ତର ପ୍ରଦେଶର ଘୋସି, ପଶ୍ଚିମବଙ୍ଗର ଧୁପଗୁଡି, କେରଳର ପୁଥୁପଲ୍ଲୀ, ଉତ୍ତରାଖଣ୍ଡର ବାଗେଶ୍ୱର, ଝାଡଖଣ୍ଡର ଡୁମରୀ ଏବଂ ବୋକ୍ସାନଗର ଏବଂ ତ୍ରିପୁରାର ଧନପୁର । ଏହି ଉପନିର୍ବାଚନର ଫଳାଫଳ ସେପ୍ଟେମ୍ବର ୮ରେ ଘୋଷଣା ହେବ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଏହି ଉପନିର୍ବାଚନ ଉଭୟ ବିଜେପି ଏବଂ ‘ଇଣ୍ଡିଆ’ ମେଣ୍ଟ ପାଇଁ ସମ୍ମାନର ଲଢ଼େଇ ଭାବେ ବିବେଚନା କରାଯାଉଛି। ଅନ୍ୟପକ୍ଷରେ ସମସ୍ତଙ୍କ ନଜର ଉତ୍ତର ପ୍ରଦେଶର ଘୋସି ଆସନ ଉପରେ ରହିଛି। ଏହି ଆସନରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି ।

ଧୁପଗୁରୀ, ପୁଥୁପଲ୍ଲୀ, ବାଗେଶ୍ୱର, ଡୁମରୀ ଏବଂ ବୋକ୍ସନଗରର ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଏହି ଆସନ ଗୁଡ଼ିକରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଘୋସି ଏବଂ ଧନପୁରର ବିଧାୟକମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏସପି ବିଧାୟକ ଦାରା ସିଂ ଚୌହାନଙ୍କ ଇସ୍ତଫା ଯୋଗୁଁ ଘୋସିରେ ଉପନିର୍ବାଚନ ହେଉଛି। ଏସପି ପଦରୁ ଇସ୍ତଫା ଦେବା ପରେ ଦାରା ସିଂ ଚୌହାନ ବିଜେପିରେ ଯୋଗ ଦେଇଥିଲେ। ଏବେ ବିଜେପି ଉପନିର୍ବାଚନରେ ବିଜେପି ପକ୍ଷରୁ ଦାରା ସିଂ ଏସପି ପ୍ରାର୍ଥୀ ସୁଧାକର ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Exit mobile version