Site icon ଆଜିକାଲି

ଦୈନିକ ସମ୍ବାଦ ପତ୍ର ‘ଆଜିକାଲି’ ଏବଂ ଆଞ୍ଚଳିକ ବୈଦ୍ୟୁତିକ ଗଣମାଧ୍ୟମ ‘ଆଜିକାଲି ୨୪-୭’ ପକ୍ଷରୁ ବାଲେଶ୍ୱର ସହରର ସିନେମା ଛକରେ ଲାଗିଲା ସି.ସି. ଟିଭି କ୍ୟାମେରା

ଟ୍ରାଫିକ ନିୟନ୍ତ୍ରଣ ସୁଗମ ସାଙ୍ଗକୁ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ ସିସିି ଟିଭି କ୍ୟାମେରା

ବାଲେଶ୍ୱର : ବାଲେଶ୍ୱର ସହରର ସିନେମା ଛକ ଠାରେ ଦୈନିକ ସମ୍ବାଦ ପତ୍ର ‘ଆଜିକାଲି’ ଏବଂ ଆଞ୍ଚଳିକ ବୈଦ୍ୟୁତିକ ଗଣମାଧ୍ୟମ ‘ଆଜିକାଲି ୨୪-୭’ ପକ୍ଷରୁ ସି.ସି. ଟିଭି କ୍ୟାମେରା ଲଗାଯାଇଛି । ଏସ୍‌ପି ସାଗରିକା ନାଥ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ । ସହରର ବିଭିନ୍ନ ସ୍ଥାନରେ ଲୁଟ୍ ଓ ଛିନ୍‌ତାଇ ବଢ଼ି ଚାଲିଥିବା ବେଳେ ଅଧିକାଂଶ ସମୟରେ ପୋଲିସ ସେମାନଙ୍କୁ ଧରିବା ପାଇଁ ନାକେଦମ୍ ହେଉଛି । ସହରର ବିଭିନ୍ନ ଗଳିକନ୍ଦ ଦେଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଉଛନ୍ତି । ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ସେହିପରି ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାକୁ ମଧ୍ୟ ଅଧିକ ତ୍ୱରାନ୍ୱତି କରାଯାଇଛି । ଟ୍ରାଫିକ ନିୟମକୁ ବେଖାତିିର କରି ଭିଡ଼ ମଧ୍ୟରେ ଲୋକେ ଖସିଯିବାକୁ ସକ୍ଷମ ହେଉଥିଲେ । ଏବେ ସେମାନଙ୍କ ଗତିବିଧି ଉପରେ ପୋଲିସ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ବି ନେଇ ପାରିବେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

ଏନେଇ ଜନସାଧାରଣ ଏବଂ ଜିଲା ପୋଲିସର ସମନ୍ୱୟରେ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ସହଯୋଗ’ । ଏହା ମାଧ୍ୟମରେ ସହରର ଟ୍ରାଫିକ ନିୟନ୍ତ୍ରଣ ସୁଗମ ହୋଇପାରିବ । ଖାଲି ଏତିକି ନୁହେଁ ଅପରାଧ ବି ନିୟନ୍ତ୍ରଣ ହୋଇପାରିବ । ଏଥି ପାଇଁ ସହରର ଗୁରତ୍ୱପୁର୍ଣ୍ଣ ଛକ ଜାଗାମାନଙ୍କରେ ସିସି ଟିଭି କ୍ୟାମେରା ଲଗାଯାଉଛି । କ୍ରାଉଡ଼ ଫଣ୍ଡିଂ ପ୍ରୋସେସିଂ ଦ୍ୱାରା ଏହି ବ୍ୟବସ୍ଥା କରାଯାଉଛି । ଓଡ଼ି ନେଟ୍ ଫାଇବର କେବୁଲ ନେଟ୍ ଓାର୍କ ମାଧ୍ୟମରେ ଟ୍ରାଫିକ ଥାନାରେ ଥିବା କମାଣ୍ଡୋ ଏବଂ କଣ୍ଟ୍ରୋଲ ରୁମ୍ ଦ୍ୱାରା ପରିଚାଳିତ ହେବ । ପ୍ରଥମେ ସିନେମା ଛକରେ ୩ଟି ୮ ମେଗାପିକ୍ସେଲ କ୍ୟାମେରା ଲଗାଯାଇ ଥିବାବେଳେ ଗୋଳାପୋଖରୀ ଛକ, ପୁରଣା ବାଲେଶ୍ୱର, ଫୁଲାଡ଼ି ଛକ ଭଳି ୩୦ଟି ସ୍ଥାନରେ ଏହା ଚାଲୁ କରାଯିବ ବୋଲି ଏସ୍‌ପି କହିଥିଲେ । ସେହିପରି ଅଗାମୀ ଦିନରେ ଷ୍ଟେସନ, ରେମୁଣା ଗୋଲେଇ ଭଳି ବିଭିନ୍ନ ଅଞ୍ଚଳରେ ସିସି ଟିଭି କ୍ୟାମେରା ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ପରିଚାଳନା ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି । ଡିଏସ୍‌ପି ଆଲୋକ ରଞ୍ଜନ ରାୟ, ଡିଏସ୍‌ପି ଡିଆଇବି ବ୍ରଜଶ୍ରୀ ବଳ, ଡିଏସ୍‌ପି ମାନସ ଦେଓ, ଡିଏସ୍‌ପି ଗାୟତ୍ରୀ ବାଳା ପ୍ରଧାନ, ଟାଉନ୍ ଥାନା ଆଇଆଇସି ପର୍ଶୁରାମ ସାହୁ, ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ, ରେମୁଣା ଥାନା ଆଇଆଇସି ପ୍ରେମ ପ୍ରଜ୍ଞା ମହାନ୍ତି, ଟ୍ରାଫିକ୍ ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ, ଆଜିକାଲି ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ମହାନ୍ତି, ଓଡି ନେଟ୍‌ର ନିର୍ଦ୍ଦେଶକ ଦେବ ଜ୍ୟୋତି ଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Exit mobile version