Site icon ଆଜିକାଲି

‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ କ୍ୟାବିନେଟ୍ ମୋହର, ଖର୍ଚ୍ଚ ହେବ ୧୪୨୩.୪୭ କୋଟି

ଭୁବନେଶ୍ୱର : ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ସହ ଗୋପାଳନକାରୀଙ୍କ ଆୟ ବୃଦ୍ଧି ନିମନ୍ତେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ କାର୍ଯ୍ୟକାରୀ ହେବ । ଆଜି ଏହି ନୂଆ ଯୋଜନାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ୫ବର୍ଷ ମଧ୍ୟରେ ଏହି ଯୋଜନାରେ ୧୪୨୩.୪୭କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଛି ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୈଠକ ପରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ମସିହା ପର୍ଯ୍ୟନ୍ତ  କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସହ ୧୫ଲକ୍ଷ ୪୭ହଜାର ୮୩୭ଜଣ ଗୋପାଳକଙ୍କ ଆୟ ବୃଦ୍ଧିକୁ ତ୍ୱରାନ୍ୱିତ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଥିରେ ମଈଁଷି ପାଳନ ପାଇଁ ୬୩୩୭ଜଣ ଚାଷୀଙ୍କୁ ୧୧୦.୨୩କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଗୋପାଳନ ଯୋଜନାରେ ୩୧୫୦୦ ଚାଷୀଙ୍କୁ ଦୃଷ୍ଟିରେ ରଖି ୪୭୬କୋଟି ଟଙ୍କା, ଗୋସମ୍ପଦ ବୀମା ଯୋଜନାରେ ୩ଲକ୍ଷ ଚାଷୀଙ୍କ ପାଇଁ ୧୮୭.୪୨କୋଟି ଟଙ୍କା, ବାଛୁରୀ ପାଳନ ଯୋଜନାରେ ୭୫ହଜାର ଚାଷୀଙ୍କ ପାଇଁ ୨୧୬.୦୯କୋଟି ଟଙ୍କା, ଓମଫେଡକୁ ସହାୟତା ବାବଦରେ ୨୫.୫୨କୋଟି ଟଙ୍କା, କୃତ୍ରିମ ପ୍ରଜନନ ପାଇଁ ୪୧.୧୦କୋଟି ଟଙ୍କା, ତୃଣ ଉତ୍ପାଦନ ଓ ସରକାରୀ ତୃଣ ଉତ୍ପାଦନ ଫାର୍ମଗୁଡ଼ିକର ସୁଦୃଢ଼ୀକରଣ ପାଇଁ ୨୦୦.୬୮କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ତୃଣ ଉତ୍ପାଦନ କ୍ଷେତ୍ରରେ ୫ବର୍ଷ ମଧ୍ୟରେ ୫ଲକ୍ଷ ଚାଷୀ ଉପକୃତ ହେବାକୁ ଲକ୍ଷ୍ୟ ରଖାଯାଇଛି ।

Exit mobile version