Site icon ଆଜିକାଲି

୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ପିକଅପ ଭ୍ୟାନ ସହ ଜଣେ ଅଟକ



କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଛକରେ ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନକୁ ତେଲକୋଇ ପୁଲିସର ସହାୟତାରେ ଜବତ କରିଛି ନାର୍କୋଟେକ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ଖବର ପାଇ ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣି ନାର୍କୋଟେକ ବିଭାଗର କର୍ମଚାରୀମାନେ ଉକ୍ତ ଗାଡିକୁ ବହୁ ପୂର୍ବରୁ ଫଲୋ କରି ଜଗମୋହନପୁର ଛକ ଠାରେ କାବୁ କରିଥିଲେ । ସୂଚନା ଅନୁଯାଇ ରବିବାର ଦିନ ୧୧ ଟା ସମୟରେ ପାଲ୍ଲଲହଡା ପଟୁ ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ ଦୃତ ଗତିରେ ଆସୁଥିବା ବେଳେ ୪୯ନଂ ଜାତୀୟରାଜପଥ ଜଗମୋହନପୁର ଛକ ଠାରେ ନାର୍କୋଟେକ ବିଭାଗର କର୍ମଚାରୀମାନେ ଗାଡ଼ିଟିକୁ ଅଟକାଇଥିଲେ। ତେବେ ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନକୁ ବିଭାଗ ଅଟକାଇବାବେଳେ ସ୍ଥାନୀୟ ଲୋକେ ଏଥିରେ ସନ୍ଦେହ କରି ଏସମ୍ପର୍କରେ ତେଲକୋଇ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ପିକଅପକୁ ଜବତ କରିବା ସହ ନାର୍କୋଟେକ ବିଭାଗର କର୍ମଚାରୀ ଥିବା ଗାଡିକୁ ଜଗମୋହନପୁର ଫାଣ୍ଡିକୁ ନେଇଥିଲା । ଗଞ୍ଜେଇ ବୋଝେଇ ପିକଅପରେ ଥିବା ଦୁଇଜଣ ସନ୍ଦିଗ୍ଧଙ୍କ ମଧ୍ଯରୁ ଜଣେ ଦୌଡି ପଳାଇ ଯାଇଥିବା ବେଳେ ଜଣକୁ ସ୍ଥାନୀୟ ଲୋକେ କାବୁ କରି ତେଲକୋଇ ପୋଲିସର ଜିମା ଦେଇଥିଲେ। ତେବେ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଥିବା ସମସ୍ତ ବ୍ୟକ୍ତି ନାର୍କୋଟେକ ବିଭାଗର କର୍ମଚାରୀ ବୋଲି ତେଲକୋଇ ପୁଲିସ କହିଛି ।

Exit mobile version