Site icon ଆଜିକାଲି

ବିବାଦୀୟ ମନ୍ତବ୍ୟ ପାଇଁ ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବାମୋଗାରେ ଘୃଣା ଭାଷଣ ପାଇଁ ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶିବାମୋଗା ଜିଲା କଂଗ୍ରେସ କମିଟିର ସଭାପତି ଏଚ୍.ଏସ୍ ସୁନ୍ଦରଶଙ୍କ ଅଭିଯୋଗ କ୍ରମେ କୋଟ୍ ପୋଲିସ ଥାନାରେ ପ୍ରଜ୍ଞାଙ୍କ ବିରୋଧରେ ଆଇପିସି ଧାରା ୧୫୩-ଏ (ଧର୍ମ, ଜାତି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୨୯୫-ଏ (ଧାର୍ମିକ ଭାବନାକୁ ଆଘାତ କରିବା) ଅନୁଯାୟୀ ମାମଲା ରୁଜୁ ହୋଇଛି |

ରବିବାର କର୍ଣ୍ଣାଟକର ଶିବାମୋଗାରେ ‘ହିନ୍ଦୁ ଜାଗରଣ’ କାର୍ଯ୍ୟକ୍ରମରେ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେଉଁମାନେ ଲଭ୍ ଜିହାଦ କରନ୍ତି ସେମାନଙ୍କୁ ସେହିଭଳି ଢଙ୍ଗରେ ଜବାବ ଦିଅ, ନିଜ ଝିଅମାନଙ୍କୁ ସୁରକ୍ଷିତ ରଖ । ଏହାଛଡ଼ା ସେ ଲୋକଙ୍କୁ ନିଜ ସୁରକ୍ଷା ପାଇଁ ଘରେ ଧାରୁଆ ଛୁରୀ ରଖିବାକୁ ଆହ୍ୱାନ କରିଥିଲେ ।

ସେ କହିଥିଲେ, “ତୁମ ଘରେ ଅସ୍ତ୍ର ରଖ, ଯଦି କିଛି ଅସ୍ତ୍ର ମିଳୁନି, ତେବେ ଅନ୍ତତଃ ପନିପରିବା କାଟିବା ପାଇଁ ଛୁରୀ ରଖ। ଏହାକୁ ଧାରୁଆ କରି ରଖ, କିଏ ଜାଣେ କେତେବେଳେ କେମିତି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ନିଜକୁ ରକ୍ଷା କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି। ଯଦି କେହି ଆମ ଘରେ ପ୍ରବେଶ କରି ଆକ୍ରମଣ କରନ୍ତି ତେଣୁ ତାଙ୍କୁ ଜବାବ ଦେବା ଅଧିକାର ଆମର ଅଛି। ପ୍ରଜ୍ଞା ଠାକୁରଙ୍କ ଏଭଳି ବକ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା ।

Exit mobile version