Site icon ଆଜିକାଲି

ବାହାନଗା ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ମାମଲାରେ ଆଜିଠୁ ସିବିଆଇ ତଦନ୍ତ

ନୂଆଦିଲ୍ଲୀ/ବାଲେଶ୍ଵର: ଓଡିଶାର ବାଲେଶ୍ବରରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଅପରାଧିକ ଅବହେଳା ଦର୍ଶାଇ ଜିଆରପି ପକ୍ଷରୁ ମାମଲା ରୁଜୁ କରାଯାଇଛି । ଆଇପିସି ଏବଂ ରେଲୱେ ଆଇନର ବିଭିନ୍ନ ଦଫା ଅଧୀନରେ ଅଜଣା ଲୋକଙ୍କ ବିରୋଧରେ ରୁଜୁ ହୋଇଛି ଏହି ମାମଲା । ସେପଟେ ସୋମବାର ରେଳ ସୁରକ୍ଷା କମିଶନର (ସିଆରଏସ୍) ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଜିଠୁ ସିବିଆଇ ଏହି ମାମଲାର ତଦନ୍ତ କରିବ।

ସୂଚନାନୁସାରେ, ଦିଲ୍ଲୀର ସିବିଆଇ ମୁଖ୍ୟାଳୟର ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ ଏହି ଦୁର୍ଘଟଣାର ତଦନ୍ତ କରିବା ସମ୍ଭାବନା ରହିଛି । ସିବିଆଇ ତଦନ୍ତ ନେଇ ବିରୋଧୀଙ୍କ ଆପତ୍ତି ପରେ ସରକାରୀ ସୂତ୍ରରୁ କୁହାଯାଇଛି ଯେ ପ୍ରାଥମିକ ଅନୁସନ୍ଧାନରେ ‘ସୁଚିନ୍ତିତ’ ସିଷ୍ଟମ ଟାମ୍ପରିଂ ହୋଇଥିବା ସ୍ପଷ୍ଟ ସଙ୍କେତ ମିଳିଛି । ଏହି କାରଣରୁ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ଏହାର ଗଭୀର ତଦନ୍ତ କରିବାକୁ ନିଷ୍ପତ୍ତି ହୋଇଛି ।

ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ କରାଯାଇଥିବା ଯାଞ୍ଚରୁ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ଯାହାର ତଦନ୍ତ ଏକ ପେସାଦାର ସଂସ୍ଥା ଦ୍ୱାରା କରିବା ଗୁରୁତ୍ୱକୁ ବଢ଼ାଇ ଦେଇଛି । ଇଲେକ୍ଟ୍ରୋନିକ୍ ଇଣ୍ଟରଲକ୍ ସିଷ୍ଟମ୍ ଟ୍ୟାମ୍ପରିଂ ନ ହୋଇଥିଲେ ମେନ୍ ଲାଇନରେ ଯାଉଥିବା ଟ୍ରେନ୍ କେବେ ଏକ ଲୁପ୍ ଲାଇନରେ ପଶି ନଥାନ୍ତା ବୋଲି ସେ କହିଛନ୍ତି ।

ବାହାନାଗାରେ କରମଣ୍ଡଳ ଏକ୍ସପ୍ରେସ୍ ମେନ୍ ଲାଇନରୁ ହଠାତ୍ ଲୁପ୍ ଲାଇନରେ ପଶି ସେଠାରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଏହାର ୧୭ଟି ବଗି ଓଲଟି ପଡ଼ିଥିଲା । ଏହାଛଡ଼ା କିଛି ବଗି ଡାଉନ୍ ଲାଇନରେ କ୍ରସ୍ କରୁଥିବା ୟଶଓ୍ବନ୍ତପୁର-ହାଓ୍ୱଡା ଏକ୍ସପ୍ରେସର ଶେଷ ଦୁଇଟି ବଗି ସହ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୧୭୫ ଜଣ ଆହତ ହୋଇଥିଲେ।

ତିନି ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ସୁପାରିସ କରିଥିଲା ରେଳବାଇ ବୋର୍ଡ । ପ୍ରକ୍ରିୟା ଅନୁଯାୟୀ ସିବିଆଇ ଜିଆରପି ବାଲେଶ୍ୱର ତରଫରୁ ରୁଜୁ କେସ୍ ନମ୍ବର ୬୪ର ତଦନ୍ତ ଦାୟିତ୍ୱ ନିଜ ହାତକୁ ନେବ ଓ ନୂଆ ମାମଲା ରୁଜୁ କରିବ।

Exit mobile version