Site icon ଆଜିକାଲି

ସ୍କୁଲରେ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହନ ଦେବାକୁ ଐତିହାସିକ ନିଷ୍ପତ୍ତି, ଓଡିଆରେ ପଢାଯିବ ସିବିଏସଇ କୋର୍ସ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ନିଜ ସ୍କୁଲରେ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହନ ଦେବାକୁ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛି । ସିବିଏସଇ ସମ୍ବନ୍ଧିତ ସ୍କୁଲରେ ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଞ୍ଚଳିକ ଭାଷାରେ ପଢିପାରିବେ ପିଲା । ଯେଉଁମାନେ ଓଡିଆରେ ପଢିବାକୁ ଚାହିଁବେ, ସେମାନଙ୍କ ପାଇଁ ସ୍କୁଲରେ ସମସ୍ତ ବ୍ୟବସ୍ଥା କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଏସଇର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଓ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନ, ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଜରିଆରେ ବିଭିନ୍ନ କ୍ଷେତ୍ରୀୟ ଭାଷାରେ ଶିକ୍ଷା ଆରମ୍ଭ କରିବା ଲାଗି ପଦକ୍ଷେପ ନେଇଛି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ସ୍କୁଲରେ ପଢା ଯାଉଥିବା ଏନସିଇଆରଟି ପୁସ୍ତକ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ଏହି ସମସ୍ତ ପୁସ୍ତକକୁ ଭାରତର ୨୨ ଅଲଗା ଅଲଗା ଭାଷାରେ ଉପଲବ୍ଧ କରାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

ସିବିଏସଇର ନିର୍ଦ୍ଦେଶକ(ଏକାଡେମିକ) ଜୋସେଫ ଇମାନୁଏଲ ବିଦ୍ୟାଳୟମାନଙ୍କୁ ଏକ ଚିଠି ଲେଖି କହିଛନ୍ତି, ବହୁଭାଷୀ ଭାଷାକୁ ଶିକ୍ଷାର ମାଧ୍ୟମ ଭାବରେ ଗ୍ରହଣ କରିବା ପାଇଁ କିଛି ଚ୍ୟାଲେଞ୍ଜ ଆସିପାରେ । କିନ୍ତୁ ଏହାକୁ ସାମ୍ନା କରାଯିବ । ଏଭଳି ସବୁ ଚ୍ୟାଲେଞ୍ଜକୁ ଦେଖି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନେକ ଉପାୟ କରିଛନ୍ତି । ବହୁଭାଷୀ ଶିକ୍ଷାକୁ କାର୍ଯ୍ୟାନ୍ୱୟ ତଥା ମାତୃଭାଷାକୁ ଶିକ୍ଷାର ମାଧ୍ୟମ ଭାବରେ ବ୍ୟବହାର କରାଯାଉଥିବା ଚ୍ୟାଲେଞ୍ଜଗୁଡିକ ଉପରେ ବୋର୍ଡ ଧ୍ୟାନ ଦେଇଛି । ଯେଉଁଥିରେ ବହୁଭାଷୀ ବିଷୟ ଶିକ୍ଷା କରିବାରେ ସକ୍ଷମ କୁଶଳୀ ଶିକ୍ଷକଙ୍କ ଉପଲବ୍ଧତା, ଉଚ୍ଚମାନର ବହୁଭାଷୀ ପାଠ୍ୟପୁସ୍ତକ ଏବଂ ସମୟ ସୀମା ରହିଛି।

ଏହା ପୂର୍ବରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଆଞ୍ଚଳିକ ଭାଷାରେ ପଢାଯିବା ଲାଗି ବିଚାର କରାଯାଉଥିଲା କିନ୍ତୁ ଏବେ ଦ୍ୱାଦଶ ପର୍ଯ୍ୟନ୍ତ ଆଞ୍ଚଳିକ ଭାଷାରେ ପଢାଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏ ପର୍ଯ୍ୟନ୍ତ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ଏନସିଇଆରଟି ପାଠ୍ୟପୁସ୍ତକ ଉପଲବ୍ଧ ହେଉଥିଲା ।

Exit mobile version