Site icon ଆଜିକାଲି

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା, ୨୬ରୁ ୩ଦିନିଆ ଗସ୍ତରେ ଯିବେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : କେନ୍ଦ୍ରୀୟ ନିର୍ବାଚନ ଆୟୋଗ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ପ୍ରସ୍ତୁତିର ସମୀକ୍ଷା ଲାଗି ୩ଦିନିଆ ଗସ୍ତ କରିବେ । ନିର୍ବାଚନ ଆୟୋଗର ଅଧିକାରୀ ୨୬,୨୭ ଏବଂ ୨୮ ସେପ୍ଟେମ୍ବରରେ ମୁମ୍ବାଇ ଗସ୍ତ କରିବେ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପୃଷ୍ଠଭୂମୀରେ ନିର୍ବାଚନ ଅଧିକାରୀଙ୍କ ଏହି ଗସ୍ତ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଉଛି ।

ସୂଚନା ମୁତାବକ, କେନ୍ଦ୍ରୀୟ ନିର୍ବାଚନ ଆୟୋଗର ଟିମ୍ ୨୬ସେପ୍ଟେମ୍ବରରେ ଦିଲ୍ଲୀରୁ ମୁମ୍ବାଇ ଲାଗି ଯିବେ । ୨୭ସେପ୍ଟେମ୍ବର ସକାଳ ୧୦ଟାରେ ରାଜ୍ୟର ସମସ୍ତ ରାଜନୈତିକ ପାର୍ଟି ସହ ବୈଠକ କରିବେ । ଅପରାହ୍ନ ୧ଟାରେ ସିଇଓ, ନୋଡାଲ ଅଧିକାରୀଙ୍କ ସହ ବି ବୈଠକ କରିବେ । ଏହା ବ୍ୟତୀତ ସୁରକ୍ଷା ଏବଂ ନିର୍ବାଚନକୁ ଧ୍ୟାନରେ ରଖି ୩ଟାବେଳେ ଅର୍ଦ୍ଧସୈନିକ ବଳ, ଆୟକର ବିଭାଗ, ଖୁଫିୟା ଏଜେନ୍ସି, ସିବିଆଇ, ଇଡିର ଅଧିକାରୀଙ୍କ ସହ ବୈଠକ ହେବ ।

ସେହିଭଳି ସନ୍ଧ୍ୟା ୫ଟା ସମୟରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗର ଅଧିକାରୀଙ୍କ ବୈଠକ ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦେଶକ ସମେତ ପ୍ରଶାସନିକ ଏବଂ ପୋଲିସ ଅଧିକାରୀଙ୍କ ସହ ହେବ । ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା ପରେ କୌଣସି ବି ସମୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇପାରେ । ସେହିଭଳି ଅକ୍ଟୋବର ଦ୍ବିତୀୟ ସପ୍ତାହରେ ରାଜ୍ୟରେ ଆଚାର ସଂହିତା ଲାଗୁ ହେବାର ସମ୍ଭାବନା ଅଛି ।

Exit mobile version