Site icon ଆଜିକାଲି

ଆସନ୍ତାକାଲିଠୁ ତାରାତାରିଣୀଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା ଆସନ୍ତା କାଲିଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ହଜାର ହଜାର ଭକ୍ତଙ୍କ ସମାଗମ ଓ ପିଲାଙ୍କ ମୁଣ୍ଡନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ଓ ମନ୍ଦିର ପରିଚାଳନା କମିଟି ଦ୍ବାରା ଯାବତୀୟ ବ୍ୟବସ୍ଥା କରାଯାଇଛି।

ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇସାରିଛି। ଏଣୁ ଶ୍ରଦ୍ଧାଳୁଙ୍କ ସକାଶେ ଯାତ୍ରା ସ୍ଥଳ, ମନ୍ଦିର ଉପର ଭାଗ, ପାହାଚ ରାସ୍ତାରେ ପାନୀୟ ଜଳ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଯାଉଛି। ପାହାଡ଼ ତଳଭାଗରୁ ଉପର ଭାଗ ମନ୍ଦିର ନିକଟକୁ ଯାତାୟତ ନିମନ୍ତେ ସ୍ବତନ୍ତ୍ର ବସ୍ ଚଳାଚଳ କରିବ। ରୋପ୍ଓ୍ବେ ଜରିଆରେ ମଧ୍ୟ ଭକ୍ତମାନେ ଯାଇପାରିବେ। ପ୍ରବଳ ‌ଭିଡ ହେବାକୁ ଥିବାରୁ ପୋଲିସ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ୨ ଜଣ ଏଏସପି, ୩ ଜଣ ଡିଏସପି, ୧୪ ଇନ୍ସପେକ୍ଟର, ୧୦୩ ଏସ୍ଆଇ, ୧୭୫ ହାବିଲଦାର, ବହୁ ସଂଖ୍ୟକ ଗୃହ ରକ୍ଷୀ, ସଶସ୍ତ୍ର ପୋଲିସ ବାହିନୀ ଦିନକ ପୂର୍ବରୁ ପୀଠରେ ମୁତୟନ ହୋଇଛନ୍ତି। ଭକ୍ତମାନେ ସୋମବାର ସନ୍ଧ୍ୟାରୁ ମନ୍ଦିର ନିକଟକୁ ଆସିବା ଆରମ୍ଭ କରିଦେବେ। ଏଣୁ ଆଗୁଆ ପୋଲିସ ମୁତୟନ ସହ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରାଯାଉଛି। ଚୋରି ଓ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସାଦା ପୋଷାକରେ ପୋଲିସ କର୍ମଚାରୀ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ଯାତ୍ରା ଦୃଷ୍ଟିରୁ ମନ୍ଦିର ଚତୁଃପାର୍ଶ୍ଵରେ ସଫେଇ କରାଯାଇଛି। ପିଲାଙ୍କ ମୁଣ୍ଡନ ନିମନ୍ତେ ବାରିକଙ୍କୁ ନିୟୋଜିତ କରାଯାଇଛି ଯେଉଁମାନେ ସ୍ବଚ୍ଛତାର ସହ ଏହି କାର୍ଯ୍ୟ ସମ୍ପାଦନ କରିବେ।

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଦୃଷ୍ଟିରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ଭକ୍ତ ମାନେ ଯେପରି ସୂଚାରୁ ରୂପେ ଦେବୀ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ଏକାଧିକ ପ୍ରସ୍ତୁତି ବୈଠକ କରିଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୀଠ ପରିଦର୍ଶନ କରି ଯାତ୍ରା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ଯାତ୍ରା ସୁପରିଚାଳନା ନିମନ୍ତେ ମନ୍ଦିର କମିଟି ଓ ପୂଜକଙ୍କ ସହଯୋଗ ଉପରେ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ। ପୀଠର ପାରିପାର୍ଶ୍ବିକ ଉନ୍ନୟନ ତଥା ସୌନ୍ଦର୍ଯ୍ୟକରଣ କାମ ଚାଲିଥିବାରୁ ଏହା ଭକ୍ତ ଓ ଦେଖଣାହାରୀଙ୍କୁ ଆକୃଷ୍ଟ କରିବ।

Exit mobile version