Site icon ଆଜିକାଲି

ଚନ୍ଦ୍ରଯାନ-୩: ଦିନକ ପରେ ସଫ୍ଟ ଲ୍ୟାଣ୍ଡିଂ, ପ୍ଲାନ୍ ‘ବି’ ସହ ପ୍ରସ୍ତୁତ ଇସ୍ରୋ

ବେଙ୍ଗାଲୁରୁ : ଇତିହାସ ରଚିବାକୁ ଆଉ ମାତ୍ର ପାଦେ ଦୂରରେ ଚନ୍ଦ୍ରଯାନ-୩ । ଆଉ କିଛି ଘଣ୍ଟା ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର୍ ବିକ୍ରମ । ସାରା ଦେଶ ଏହି ମୁହୂର୍ତ୍ତକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଆସନ୍ତାକାଲି (ଅଗଷ୍ଟ ୨୩) ସନ୍ଧ୍ୟା ୬.୦୪ରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏଥିପାଇଁ ‘ବିକ୍ରମ’ ଏକ ସୁରକ୍ଷିତ ସ୍ଥାନ ଖୋଜୁଛି । ଇସ୍ରୋ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ପାଇଁ ପ୍ଲାନ୍ ‘ବି’ ପ୍ରସ୍ତୁତ କରି ରଖିଛି । ଇସ୍ରୋ କହିଛି ଯେ, ଯଦି କୌଣସି କାରଣରୁ ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ ବା ଧୀରାବତରଣ ହୋଇନପାରୁଛି, ତେବେ ଏହାକୁ ଅଗଷ୍ଟ ୨୭ ଯାଏଁ ସ୍ଥଗିତ ରଖାଯିବ । ଅର୍ଥାତ ଅଗଷ୍ଟ ୨୭ରେ ପୁଣି ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରାଯିବ। ଲ୍ୟାଣ୍ଡର ଏପରି ଏକ ସ୍ଥାନ ଖୋଜୁଛି ଯେଉଁଠି ଖାଲଖମା, ବଡ଼ ଗର୍ତ୍ତ କି ପଥର ନଥିବ ।

ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି ଯେ ପୂରା ସିଷ୍ଟମ୍ ଠିକ୍ ଠାକ୍ କାମ କରୁଛି । କୌଣସି ପ୍ରକାରର ସମସ୍ୟା ଉପୁଜିବା ସମ୍ଭାବନା କମ୍ । ଗତ ଜୁଲାଇ ୨୦୧୯ରେ ଲଞ୍ଚ ହୋଇଥିବା ଚନ୍ଦ୍ରଯାନ-୨ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଫ୍ଟ ଲ୍ୟାଣ୍ଡିଂର କିଛି ମିନିଟ୍ ପୂର୍ବରୁ କ୍ରାସ୍ ହୋଇଯାଇଥିଲା । ଏଥର ଏଭଳି ଭୁଲ୍ ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ଇସ୍ରୋ ଯତ୍ନବାନ ହୋଇଛି । ଅବତରଣ ପୂର୍ବରୁ ସୋମବାର ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଏବଂ ଏଭୋଏଡାନ୍ସ କ୍ୟାମେରା (ଏଲ୍ଏଚଡିଏଚସି) ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ଫଟୋ ଜାରି କରିଥିଲା । ଇସ୍ରୋ କହିଛି ଯେ, ଲ୍ୟାଣ୍ଡର ନିର୍ଦ୍ଦିଷ୍ଟ ଅବତରଣ ସ୍ଥାନରେ ସୂର୍ଯ୍ୟୋଦୟକୁ ଅପେକ୍ଷା କରିବ ଏବଂ ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ ଆରମ୍ଭ କରିବ ।

Exit mobile version