Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗୋପାଳପୁର ବିଧାୟକ ଓ ପତ୍ନୀଙ୍କ ବିରୋଧରେ ଚାର୍ଜଫ୍ରେମ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି। ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ଏଣିକି ସେମାନଙ୍କ ବିରୋଧରେ ଏହି ମାମଲାରେ ଶୁଣାଣି ଆରମ୍ଭ ‌ହେବ ।

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗତବର୍ଷ ଏପ୍ରିଲ ୨୦ ତାରିଖରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତଦନ୍ତ କରି ତାଙ୍କ ୯ କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା । ସମ୍ପତ୍ତିର ଉତ୍ସ ନେଇ ପ୍ରଦୀପ ପାଣିଗ୍ରାହୀ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ନେଇ ପ୍ରଦୀପଙ୍କ ପତ୍ନୀ ତାଙ୍କୁ ସହାୟତା କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡିଥିଲା। ୨୦୨୨ ମସିହା ଜୁନ ୬ ତାରିଖରେ ଲୋକାୟୁକ୍ତଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲା ଭିଜିଲାନ୍ସ। ରିପୋର୍ଟ ତର୍ଜମା କଲା ପରେ ୨୦୨୩ ଏପ୍ରିଲ ମାସରେ ପାଣିଗ୍ରାହୀ ଦମ୍ପତ୍ତିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ।

Exit mobile version