Site icon ଆଜିକାଲି

ଛତିଶା ନିଯୋଗ ବୈଠକ : ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ ବ୍ୟବହାର ନିଷିଦ୍ଧ ନେଇ ସହମତି

ପୁରୀ : ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍ ବ୍ୟବହାର ନିଷିଦ୍ଧ ହେବ । ଆସନ୍ତା ଜାନୁଆରୀ ପହିଲାରୁ ଏହି ନିଷେଧାଦେଶ ଲାଗୁ କରାଯିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଜରୁରୀ ନୀତି ନିର୍ଘଣ୍ଟ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍ ବ୍ୟବହାର କରି ପାରିବେ। ଅନ୍ୟାନ୍ୟ ଅଧିକୃତ ଶ୍ରୀମନ୍ଦିରର ଅଧିକାରୀ ଓ ସେବାୟତ ମାନେ ସାଧାରଣ କିପ୍ୟାଡ ଥିବା ମୋବାଇଲ ବ୍ୟବହାର କରି ପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ କଟକଣା ରହିଛି। କେବଳ ଅଧିକାରୀ ଓ ଅଧିକୃତ ସେବାୟତମାନେ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ। ଆଜି ଛତିଶା ନିଯୋଗ ବୈଠକରେ ଏନେଇ ବିଚାର ବିମର୍ଶ କରାଯିବା ପରେ ଶ୍ରୀମନ୍ଦିରରେ ସ୍ମାର୍ଟଫୋନ କଟକଣା ନେଇ ସହମତି ପ୍ରକାଶ ପାଇଛି। ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସଂପର୍କିତ ପ୍ରସ୍ତାବ ଅନୁମୋଦନ କରାଯିବ।

ଶ୍ରୀମନ୍ଦିରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତିରେ ରାତ୍ର ୨ଟାରୁ ଦ୍ବାର ଫିଟା କରାଯାଇ ୬ଟା ସୁଦ୍ଧା ପହିଲି ଭୋଗ ନୀତି ସମ୍ପାଦନ ହେବ। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂ, ପରିଚାଳନା କମିଟି ସେବାୟତ ସଦସ୍ୟ, ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Exit mobile version